ଭୁବନେଶ୍ବର: ଦୁଇ ଦୁଇ ଥର ସ୍ବର୍ଣ୍ଣ ବିଜେତା ଜର୍ମାନି ଗତ ଥରର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍କୁ ୪-୧ ଗୋଲ୍ରେ ହରାଇ ଓଡ଼ିଶା ହକି ବିଶ୍ବକପ୍ର କ୍ବାର୍ଟର ଫାଇାଲ୍ ସମ୍ଭାବନାକୁ ବଢ଼ାଇ ଦେଇଛି। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଗୋଟିଏ ମାତ୍ର ଗୋଲ୍ରେ ପରାସ୍ତ କରିଥିବା ଏହି ୟୁରୋପୀୟ ମହାଶକ୍ତି ବୁଧବାର କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରି ନିଜ ମହାଦେଶୀୟ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍କୁ ଟର୍ଫ ଟକ୍କରରେ ଦାବି ଦେଇଥିଲା। ଗତି ଓ କୌଶଳର ପରାକ୍ରମୀ ପ୍ରଦର୍ଶନ ଭିତରେ ଆକ୍ରମଣାତ୍ମକ ହକିର ଆଉ ଏକ ମନୋରଂଜନ ଦେଖିଥିଲେ କଳିଙ୍ଗ ପ୍ରଶଂସକ। ପରାଜୟ ସହ ପ୍ରଥମ ମ୍ୟାଚ୍ରେ ମାଲେସିଆକୁ ୭-୦ରେ ଦଳିଥିବା ନେଦରଲାଣ୍ଡ୍ର ସିଧାସଳଖ କ୍ବାର୍ଟରଫାଇନାଲ୍ ପ୍ରବେଶ ବାଟରେ ଅଙ୍କୁଶ ଲାଗିଯାଇଛି।
ବୁଧବାରର ଏହି ମ୍ୟାଚ୍ରେ ପ୍ରଥମେ ନେଦରଲାଣ୍ଡ ଗୋଲ୍ ଦେଇଥିଲା। ୧୩ ମିନିଟ୍ରେ ମାଇକ୍ରୋ ପ୍ରୁଇଜରଙ୍କ କର୍ନର ପାସ୍ରୁ ଭାଲେଣ୍ଟିନ୍ ଭେର୍ଗାଙ୍କ ଫିଲଡ୍ ଗୋଲ୍ ଜର୍ମାନିକୁ ଚକିତ କରି ଦେଇଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ମିନିଟ୍ (୩୦)ରେ ଜର୍ମାନିକୁ ମିଳିଥିବା ପେନାଲ୍ଟି କର୍ନରରୁ କିନ୍ତୁ ଚମତ୍କାର ଗୋଲ୍ ଦେଖିବାକୁ ମିଳିଥିଲା। ମାଥିଆସ ମୁଲାର ହିଟ୍ ନେଇଥିଲେ ମଧ୍ୟ ଅଧିନାୟକ ମାର୍ଟିନ ହାନର ଫ୍ଲିକ୍ ନ ଖେଳି ବ୍ୟାକ୍ ପାସ୍ ଦେବାରୁ ମୁଲାର ହିଁ ଗୋଲ୍ ଦେଇଥିଲେ। ମ୍ୟାଚ୍ ବରାବର ସ୍ତରକୁ ଚାଲି ଆସିବା ପରେ ଜର୍ମାନି ଅଧିକ ଉଗ୍ରରୂପ ଦେଖାଇଥିଲା। ବଲ୍ ନିୟନ୍ତ୍ରଣ ଏବଂ ଷ୍ଟିକ୍ ଚାଳନାରେ ଏକ ଉଚ୍ଚମାନର ଲଢ଼େଇ ହୋଇଥିଲା। ତୃତୀୟ କ୍ବାର୍ଟର ପର୍ଯ୍ୟନ୍ତ ମ୍ୟାଚ୍ ୧-୧ ସ୍ତରରେ ରହିଥିଲା। କିନ୍ତୁ ଶେଷ କ୍ବାର୍ଟରରେ ଜର୍ମାନି ଏତେ ଚାପ ସୃଷ୍ଟି କରି ରଖିଥିଲା ଯେ ନେଦରଲାଣ୍ଡ୍ ଖେଳ ଦିଗହରା ହୋଇଯାଇଥିଲା। ୬ ମିନିଟ୍ ଭିତରେ ୩ ଗୋଲ୍ ଦେଇଥିଲା ଜର୍ମାନି। ୫୨ତମ ମିନିଟରେ ଦଳ ଅର୍ଜନ କରିଥିବା ପେନାଲ୍ଟି କର୍ନରରୁ ମାଥିଆସ ମୁଲାରଙ୍କ ହିଟ୍ ଏବଂ ଲୁକାସ ୱିଣ୍ଡ୍ଫେଡରଙ୍କ ଫ୍ଲିକ ଗୋଲ୍ରେ ରୂପାନ୍ତର କରିଥିଲା। ଏହା ପୂର୍ବରୁ କିନ୍ତୁ ଜର୍ମାନି ନେଦରଲାଣ୍ଡ୍ ପାଇଥିବା ଏକ ପେନାଲ୍ଟି କର୍ନର ବେଳେ ଟୋବିୟସ ହକ୍ ଆଗୁଆ ବାହାରିଯିବାରୁ ଗ୍ରିନ୍ କାର୍ଡ ପାଇଥିଲେ। ଫଳରେ ଗୋଲି ଏବଂ ୩ ଜଣ ଡିଫେଣ୍ଡରଙ୍କୁ ନେଇ ଖେଳିଥିଲେ ମଧ୍ୟ ଲଗାତାର ପେନାଲ୍ଟି କର୍ନରକୁ ଜର୍ମାନି ଗୋଲ୍ରକ୍ଷକ ଟୋବିଅସ ୱାଲଟର୍ ପ୍ରତିହତ କରି ଦେଇଥିଲେ। ଜର୍ମାନିର ତୃତୀୟ ଗୋଲ୍ ମଧ୍ୟ ଦେଖିବା ଭଳି ଥିଲା। ବଳୟ ସୀମା ସେପାଖ ଏପାଖ ହୋଇ ମାଥିଆସ ମୁଲାର, ମାର୍କୋ ମିଲଟକାଉ ଏବଂ ନିକିଆସ ୱେଲେନଙ୍କ ଉତ୍ତମ ସମନ୍ବୟ ଖେଳରୁ ମିଲଟକାଉ ଗୋଲ୍ ଦେଇଥିଲେ। ଜର୍ମାନିର ଚତୁର୍ଥ ଗୋଲ୍ଟି ପେନାଲଟି କର୍ନରରୁ ହୋଇଥିଲା। ଯାହାକୁ କ୍ରିଷ୍ଟୋଫର ରୁର୍ ଗୋଲ୍ରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ଏଥି ସହିତ ୨୦୦୪, ୨୦୦୬ ବିଜେତା ଜର୍ମାନି ୪-୩ରେ ଜିତି କ୍ବାର୍ଟର ଫାଇନାଲରେ ଗୋଟିଏ ପାଦ ରଖି ଦେଇଛି।
Thank you for this useful information.