ବଲାଙ୍ଗିର:୦୯/୦୧ (ନରେନ୍ଦ୍ର ନେଗୀ)ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆଜି କୋଶଳ କଳା ମଣ୍ଡଳରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆଜି ମଂଚାସୀନ ଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଏବଂ ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ।

ଆଜିର ମଂଚକୁ ସଂସ୍କୃତି ଗବେଷକ ନାଟ୍ୟ ନିର୍ଦ୍ଦେଶକ ଦିବଙ୍ଗତ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ପାଇଁ ଡା.ସରୋଜ କୁମାର ପାଣିଗ୍ରାହୀଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି ।

ଆଜିର ସାଂଧ୍ୟ କାର୍ଯ୍ୟକ୍ରମ ଆରମ୍ଭରୁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ଏବଂ କଳାହାଣ୍ଡି କେସିଙ୍ଗାର ଜିତେନ୍ଦ୍ର କୁମାର ଭୋଇ ଏଣ୍ଡ ଗ୍ରୁପ୍‌ ପକ୍ଷରୁ ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା । ସାଂସ୍କୃତିକ ସଭା ପରେ ପରେ ଆରମ୍ଭ ହୋଇଥିଲା କୋଶଲୀ ନାଟକ ‘ଗୁଡ଼ମର୍ଣ୍ଣିଂ’ । ବରଗଡ଼ ଭଟଲିର ନବଜ୍ୟୋତି ଶିକ୍ଷା ଅନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଥିବା ଏହି ନାଟକକୁ ନକୁଳ ବାଦୀ ରଚନା କରିଥିବା ବେଳେ ସନ୍ତୋଷ କୁମାର ପଣ୍ଡା ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଥିବା ସୂଚନାରେ କୁହାଯାଇଛି ।