ବୌଦ୍ଧ, :(ଚିତ୍ତରଞ୍ଜନ ସିଂହ) ରାଜ୍ୟ ସରକାର ଛାତଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଏଣିକି ଛାତ୍ରୀମାନେ ମାଗଣାରେ ବୈଷୟିକ ଶିକ୍ଷା ପାଇପାରିବେ । ପ୍ରତ୍ୟେକ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ପାଇଁ ୩୩% ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ରାଜ୍ୟ ସରକାର ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କୁ ସଂପୁର୍ଣ୍ଣ ମାଗଣାରେ ଶିକ୍ଷା ଦେବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ବୌଦ୍ଧଜିଲ୍ଲାରେ ଦୁଇଗୋଟି ବୈଷୟିକ ଶିକ୍ଷାନୁଷ୍ଠାନ ରହିଥିବାବେଳେ ସେଠାରେ ଛାତ୍ରୀମାନଙ୍କ ପାଇଁ ମାଗଣା ଶିକ୍ଷା ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସତ୍ୟରଂଜନ ସାହୁ ମତବ୍ୟକ୍ତ କରିଛନ୍ତି ।
ବର୍ତମାନ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ୍ ରେ ନାମଲେଖା ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି । ଏହି ଅନୁଷ୍ଠାନରେ ନିର୍ମାଣ ଶ୍ରମିକ ପୁଅଝିଅଙ୍କ ପାଇଁ ନିର୍ମାଣ କୁସୁମ ଯୋଜନା,କାଳିଆ ଯୋଜନା,ଗ୍ରୀନ ପ୍ୟାସେଜ ଛାତ୍ରବୃତ୍ତି ସହିତ ମାଗଣା ପୋଷାକ ଯୋଗାଇ ଦିଆଯାଉଅଛି । ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିଲେ ଭବିଷ୍ୟତ ଜୀବନରେ ସେମାନେ ଆତ୍ମନିର୍ଭରଶୀଳ ହେବା ସହିତ ସମାଜର ସେବା କରିପାରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।
ଏହି ବୈଠକରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ସ୍ୱାଗତ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିବାବେଳେ ୱାଇ.ପି ରାଜୀବ କୁମାର ଦାଶ ପାୱାର ପଏଣ୍ଟ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଉପସ୍ଥାପନ କରିଥିଲେ । ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ତାଲିମ ପ୍ରଦାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିପାରିଥିବାରୁ ଜିଲ୍ଲପାଳ ଶ୍ରୀସାହୁ ଖୁସିବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ସରକାରୀ ପଲିଟେକନିକ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ଦାଶ,ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଅବିନାଶ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଳା ଶ୍ରମ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଏମ ଡିଆଇସି, ଓରମାସ ଅଧିକାରୀ,ଟେକ୍ସଟାଇଲ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଳା ମଙ୍ଗଳ ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସମେତ ଦକ୍ଷତା ବିକାଶ କମିଟିର ସଭ୍ୟ, ସଭ୍ୟାମାନେ ଉପସ୍ଥିତ ଥିଲେ ।