ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଆସନ୍ତା ୫ତାରିଖ ଦିନ ଲୋକାର୍ପିତ ହେବ ଧର୍ମଗଡ଼ ଠାରେ ନିର୍ମାଣ ହୋଇଥିବା ସରକାରୀ ବସଷ୍ଟାଣ୍ଡ। ଏଥିପାଇଁ ବସଷ୍ଟାଣ୍ଡ ନୂଆ ରୂପରେ ସଜେଇ ହୋଇଛି। ଲୋକାର୍ପଣ ପରେ ଏଠାରେ ସମସ୍ତ ବସ ରହଣି ହେବ । କିନ୍ତୁ ପ୍ରବେଶ ପଥରେ ଯମଦୂତ ଭଳି ଦଣ୍ଡାୟମାନ ରହିଛି ବିଦ୍ୟୁତ ଖୁଣ୍ଟ। ଗେଟ୍ ସାମ୍ନାରେ ଏକ ବିଦ୍ୟୁତ୍ ଖୁଣ୍ଟ ଥିବାବେଳେ ବସଷ୍ଟାଣ୍ଡ ପରିସରରେ ଏକ ଟ୍ରାନ୍ର୍ସଫରମର ଓ ଆଉ ଏକ ବିଦ୍ୟୁତ୍ ଖୁଣ୍ଟ।ଏହି ବିଦ୍ୟୁତ୍ ଖୁଣ୍ଟ ଅପସାରିତ ନହେଲେ ଏହି ଷ୍ଟାଣ୍ଡ ଭିତରକୁ ବସ ପ୍ରବେଶ କରିବା ସମ୍ଭବ ନୁହେଁ। ନିର୍ମାଣ ସମୟରେ ଠିକା ସଂସ୍ଥା ଏଥିପ୍ରତି ବିଦ୍ୟୁତ୍ ବିତରଣ ସଂସ୍ଥାର ଦୃଷ୍ଟି ଆକର୍ଷଣ କରିବା କଥା।
କିନ୍ତୁ ଲୋକାର୍ପଣ ହେବାକୁ ଆଉ ମାତ୍ର ଚାରି ଦିନ ବାକି ଥିଲେ ହେଁ ନା ବିଦ୍ୟୁତ୍ ବିତରଣ ସଂସ୍ଥା ନା ଠିକା ସଂସ୍ଥା ଗୁରୁତ୍ଵ ଦେଉଛି। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ଥିବାରୁ ବୋଧେ ଏଥିପ୍ରତି କେହି ଗୁରୁତ୍ବ ଦେଉନଥିବା ଆଲୋଚନା ହେଉଛି। କଳାହାଣ୍ଡି ଗସ୍ତକୁ ପ୍ରଶାସନ ଚଳଚଞ୍ଚଳ ହୋଇପଡିଛି। ନିଜ ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ଓ୍ଵେ ସହ ଧର୍ମଗଡ଼ ନବନିର୍ମିତ ବସଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଦିନରାତି ଏକ କରି ବିଜୁ ଏକ୍ସପ୍ରେସ ଓ୍ଵେ କାମ ଚାଲିଛି। ରାତି ଅଧିଆ ଡିଭାଇଡର ନିର୍ମାଣ ସାଙ୍ଗକୁ ଅନେକ ସ୍ଥାନରେ ମରାମତି କାମ ଚାଲୁଛି। କାରଣ ଏହି ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ବସ ଯୋଗେ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି।