ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଦିନ ରାତି ବନ୍ଦ ରହୁଛି କ୍ୟାବିନ । କ୍ୟାବିନକୁ ଦେଶୀ ମଦ କାଉଂଟର ଭାବେ ଦର୍ଶାଯାଇଛି । କିନ୍ତୁ ଏହି କ୍ୟାବିନ ବା କାଉଂଟର ରେ ମାତ୍ର ସପ୍ତାହକୁ ଭିତରେ ବିକ୍ରି ହୋଇଛି ଲକ୍ଷାଧିକ ଟଙ୍କାର ଦେଶୀ ମଦ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସୂଚନା ମୁତାବକ ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳ ମୌଜାର ପ୍ଲଟ ନଂ ୭୦୨ ଏବଂ ଖାତା ନଂ ୧୦୯ ରେ ଅଜୟ କୁମାର ସାହୁ ନାମକ ବ୍ୟକ୍ତିଙ୍କୁ ଦେଶୀ ମଦ ବ୍ୟବସାୟ କରିବାକୁ ଅବକାରୀ ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହି ଲାଇସେନ୍ସ ମାଧ୍ୟମରେ ଗତ ପ୍ରାୟ ସପ୍ତାହକ ଭିତରେ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦେଶୀ ମଦ ଉଠାଣ ହୋଇଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କ୍ୟାବିନ ବା କାଉଂଟର ଆଜି ପର୍ଯ୍ୟନ୍ତ ଦିନକ ପାଇଁ ଖୋଲାଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଏତେ ପରିମାଣର ଦେଶୀ ମଦ କୁଆଡେ ଗଲା ବା କେଉଁଠି ବିକ୍ରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ସରକାରୀ ନିୟମ ମୁତାବକ ଲାଇସେନ୍ସ ସ୍ଥାନରେ ଲାଇସେନ୍ସ ସମ୍ବଦ୍ଧିୟ ଏବଂ ଅନ୍ୟାନ୍ୟ ସୂଚନା ପଂଳକ ଲଗାଯିବା କଥା । କିନ୍ତୁ ଏଠାରେ କୌଣସି ସୂଚନା ପଂଳକ ତ ଦୂର କଥା ଏହି କ୍ୟାବିନକୁ ଘଂଟାଏ ମଧ୍ୟ ଖୋଲାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଲାଇସେନ୍ସ ପାଇଥିବା ବ୍ୟକ୍ତି ଅନ୍ୟ ଜଣକୁ ଭଡା ସୁତ୍ରରେ ଦେଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ଦେଶୀ ମଦ ଉଠାଣ କରି ବ୍ୟାସନଗର ଏବଂ ଆଖପାଖ ଅଂଚଳରେ ଚୋରା ମାଧ୍ୟମରେ ବ୍ୟବସାୟ କରୁଛନ୍ତି । କିନ୍ତୁ ଯେଉଁ ଲକ୍ଷ୍ୟରେ ଏଠାରେ ଦେଶୀ ମଦ କାଉଂଟର ଖୋଲିବା ପାଇଁ ସରକାର ଚିନ୍ତା କରିଥିଲେ ସେହି ଉଦ୍ଦେଶ୍ୟ ପୁରଣ ହେଉନଥିବା ଚର୍ଚ୍ଚା ହେଉଛି । ଚୋରା ମଦ ଏବଂ ହାତରନ୍ଧା ମଦ କାରବାରକୁ ବନ୍ଦ କରିବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ କାଉଂଟର ଖୋଲାଯାଇଛି ।
କିନ୍ତୁ ଏଠାରେ ଦେଶୀ ମଦ କାଉଂଟର ଖୋଲା ନ ହେବା ପଂଳରେ ଏହି ଅଂଚଳରେ ଚୋରା ,ହାତ ରନ୍ଧା ମଦ କାରବାର ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି ।କୌଣସି ସମୟରେ ଅଘଟଣ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେହିପରି ମଦ ଡିପୋରୁ ମଦ କାଉଂଟର ପର୍ଯ୍ୟନ୍ତ ମଦ ନେବା ଆଣିବା ରାସ୍ତାରେ ଏହି ମଦକୁ କେଉଁଠି ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଏହା ଉପରେ ଅବକାରୀ ବିଭାଗ ସ୍ୱତନ୍ତ୍ର ନଜର ଦେବାକୁ ମଧ୍ୟ ଦାବୀ
ହେଉଛି ।