ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ୍ ।ସଂଶୋଧିତ ମୋଟର ଯାନ ଆଇନକୁ ନେଇ କ୍ରୋଧିତ ରାଜଧାନୀବାସୀଙ୍କ ଆକ୍ରୋଶର ଶିକାର ହୋଇଛି ସରକାରୀ ଗାଡି ଓ ପୁଲିସ ବାବୁ । ଏହାକୁ ନେଇ ରାଜମହଲଛକ ନିକଟରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଆଇନ ଉଲଂଘନ କରି ଜରିମାନା ଭରୁଥିବା କ୍ରୋଧିତ ଚାଳକ ଆଜି ସରକାରୀ ଗାଡିକୁ ଅଟକ ରଖି କାଗଜପତ୍ର ମାଗିଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ହଜାର ହଜାର ଲୋକ ସରକାରୀ ଗାଡିକୁ ଘେରଉ କରି ଜରିମାନା ମାଗିଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲାଠି ଚାଳନା କରିବାକୁ ପଡିଥିଲା। ଫଳରେ ଉତ୍ତ୍ୟକ୍ତ ଜନତା ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।
ଲୋକଙ୍କ ଏ ବିଦ୍ରୋହ ଭିତରେ ଟୁଇନ୍ଟି ପୁଲିସ କମିଶନର କହିଛନ୍ତି, କେବଳ ୫ଟି ଗଫଲତି ଦେଖି ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଦୁଇଚକିଆରେ ୩ ଜଣ ଗଲେ, ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ପିନ୍ଧୁନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପି ଗାଡ଼ି ଚଳାଉଥିଲେ ଏବଂ ରାସ୍ତାର ଭୁଲ୍ ଦିଗରେ ଗାଡ଼ି ଚଳାଇଲେ ଜରିମାନା ଆଦାୟ କରାଯାଉଛି। ତାପୁଣି ହଜାରେ ଜାଗାରେ ପୁଲିସ ୫୦୦ ଆଦାୟ କରୁଛି ବୋଲି ସିପି କହିଛନ୍ତି। ବର୍ତ୍ତମାନ ପାଇଁ ପୁଲିସ ଇନସ୍ୟୁରାନ୍ସ କିମ୍ବା ପଲ୍ୟୁସନ ସାର୍ଟିଫିକେଟ୍ ଚେକ୍ କରୁନି। ଆଇନ ଉଲ୍ଲଂଘନ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର।