ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି । ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ ପ୍ରତିଦ୍ୱନ୍ଦିତା ହେବା ଆଶଙ୍କା ରହିଛି। ବିଜେପି ଦଳ ପୁର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ଥିବା ଦଳୀୟ ପତିଆରା ସହାୟକ ହେବ ବୋଲି ଆଶା ରଖିଛନ୍ତି। ସେହିପରି କଂଗ୍ରେସ ଦଳ ମଧ୍ୟ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ କିଶୋର ପଟେଲ ଙ୍କ ପ୍ରଦର୍ଶନ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି ଏବଂ ପଟେଲ ଙ୍କ ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତାର ଫାଇଦା ଉଠାଇବା ଲକ୍ଷ ରଖିଛି।
ଦିବଂଗତ ବିଧାୟକ କିଶୋର ମହାନ୍ତି ଙ୍କ ପତ୍ନୀ ଅଳକା ମହାନ୍ତି ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। କିଶୋର ଙ୍କ ଲୋକପ୍ରିୟତା ଓ ସମବେଦନା ସହ ବିଜୁ ଜନତା ଦଳ ର ବିଚକ୍ଷଣ ରାଜନୀତିଜ୍ଞ ଙ୍କ ଗୋଟି ଚାଳନା କୁ ଭରସା କରିଛନ୍ତି ଅଳକା। ସେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଥମେ ମନୋନୟନ ପତ୍ର ଦାଖଲ କରିଥିଲେ। ଯେଉଁଥିରେ ଓଡିଶା ବିଜୁ ଜନତା ଦଳ ର କରିତକର୍ମା ଚାଣକ୍ୟ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବକିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ,ରାଜ୍ୟ ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହା ଙ୍ଗିନୀ ଛୁରିଆ, ସମେତ ବହୁ ତୁଙ୍ଗ ନେତା ଏହି ମନୋନୟନ ଶୋଭାଯାତ୍ରା ରେ ସାମିଲ ଥିଲେ।
ସେହିପରି ବିଜେପି ଦଳ ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏକ ଶୋଭାଯାତ୍ରା ରେ ବାହାରି ମନୋନୟନ ପତ୍ର ଦାଖଲ ସମୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଛତ୍ତିଶଗଡ଼ ରାୟଗଡ଼ ସାଂସଦ ଗୋମତୀ ସାଏ,ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଙ୍କ ସମେତ ବହୁ ତୁଙ୍ଗ ନେତା ଓ କର୍ମୀମାନେ ଯୋଗଦେଇ ଥିବା ବେଳେ କଂଗ୍ରେସ ଦଳ ପ୍ରାର୍ଥୀ କିଶୋର ପଟେଲ ମଧ୍ୟ ଏକ ବିଶାଳ ପଟୁଆର ରେ ବହୁ ବିଶିଷ୍ଟ ନେତା, ବିଧାୟକ, ଓ ପ୍ରତିନିଧି ଙ୍କ ସହ ଯାଇ ମନୋନୟନ ପତ୍ର ଦାଖଲ କରିଥିଲେ। ୧୪ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି, ହେଲେ ତିନି ଦଳ ମଧ୍ୟରେ ହିଁ ପ୍ରମୁଖ ପ୍ରତିଦ୍ୱନ୍ଦିତା ହେବା ଆଶଙ୍କା ରହିଛି ।
ବିଶେଷ କରି ଗତ ନିର୍ବାଚନ ରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇ ଅଳ୍ପ ଭୋଟ ବ୍ୟବଧାନ ରେ କିଶୋର ମହାନ୍ତି ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଜୁ ଜନତା ଦଳ ର ସାଂଗଠନିକ ସମ୍ପାଦକ ତଥା ବିଚକ୍ଷଣ ବ୍ୟକ୍ତିତ୍ୱ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋ ରେ ରହି ନିର୍ବାଚନ ପରିଚାଳନା କରୁଥିବା ରୁ ତାଙ୍କରି ଗୋଟି ଚାଳନା ଉପରେ ସମସ୍ତ ଙ୍କ ନଜର ରହିଛି। ଦଳ ର ମନ୍ତ୍ରୀ ବିଧାୟକ ଓ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ଦଳ ନିୟୋଜିତ କରିଥିବା ବେଳେ ନିଜେ ଶ୍ରୀ ଦାସ ପରିଚାଳନା ସମୀକ୍ଷା କରୁଥିବା ଜଣାପଡ଼ିଛି। ତେବେ ଅନୁରୂପ ଭାବେ ବିଜେପି ଦଳ ମଧ୍ୟ ନିଜର ସମସ୍ତ ଶକ୍ତି ଲଗାଇଥିବା ବେଳେ କଂଗ୍ରେସ ଦଳ ମଧ୍ୟ ନିଜର ସ୍ଥିତି ସଜାଡ଼ିବା ଉଦ୍ୟମ ଆରମ୍ଭ କରିଛି । ଜନାଦେଶ କାହା ସପକ୍ଷରେ ଯାଉଛି ଦେଖିବାକୁ ବାକି ରହିଲା।