ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆହୁରି ଦୁଇଦିନ ଏଭଳି ବର୍ଷା ହେବା ସହ ବନ୍ୟା ଆସିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସୋମବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଆଲର୍ଟ ଜାରି କରିଛନ୍ତି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ ଜରୁରିକାଳୀନ କେନ୍ଦ୍ର ଖୋଲି ନଜର ରଖିବାକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ସେହିଭଳି ଜଳମଗ୍ନ ହୋଇପଡ଼ୁଥିବା ରାସ୍ତା ଓ ବ୍ରିଜରେ ଗାଡ଼ିମୋଟର ଚଳାଚଳକୁ ବାରଣ କରାଯାଇଛି। ସର୍ଚ୍ଚ ଓ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବାବେଳେ ଆବଶ୍ୟକ ସ୍ଥଳେ ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯିବ। ଏଥିସହ ସ୍ବାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହି ସମୟରେ ଉତ୍ତର ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା ଯଥାକ୍ରମେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ସହ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେଲେ ଓ୍ୱାଟର ଲଗିଂ ସହ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ଏହାର ମୁକାବିଲା ଲାଗି ପ୍ରଶାସନିକ ସ୍ତରରେ ସମସ୍ତ ଅଧିକାରୀ ସତର୍କ ନଜର ରଖିବା ସହ କ୍ଷେତ୍ର କର୍ମଚାରୀଙ୍କୁ ଆବଶ୍ୟକ ସରଞ୍ଜାମ ସହ ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି।