ଭୁବେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ରେ ଓକିଲ ଭାବେ ପଂଜିକୃତ ହୋଇ ଥିଲେ ହେଁ କୌଣସି ଅଦାଲତରେ ଓକିଲାତି କରୁ ନ ଥିବା ୧୭ ହଜାର ଓକିଲ ଙ୍କୁ ଚିହ୍ନଟ କରିଛି ରାଜ୍ୟ ବାର୍ କାଉନସିଲ୍।ଏହି ଓକିଲ ମାନେ ଆଗାମୀ ବାର୍ କାଉନସିଲ୍ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ମିଳିଛି।ରାଜ୍ୟ ଆଇନ୍ ଜୀବୀ ପରିଷଦ ବା ଷ୍ଟେଟ୍ ବାର୍ କାଉନସିଲ୍ ରେ ସାରା ରାଜ୍ୟରେ ପ୍ରାୟ ୫୨ ହଜାର ଓକିଲ ପଞ୍ଜିକୃତ ହୋଇଥିବା ବେଳେ ଏଥର ବାର୍ କାଉନସିଲ୍ ନିର୍ବାଚନରେ ପ୍ରାୟ ୩୫ ହଜାର ଓକିଲ ଭାଗ ନେବେ ବୋଲି ସ୍ପଷ୍ଟ ହୋଇଛି।
ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତମାନ ରାଜ୍ୟ ବାର୍ କାଉନସିଲ୍ ର ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇଛି।ନିର୍ବାଚନକୁ ପରିଚାଳନା କରିବା ସକାଶେ ମ୍ୟାନେଜିଂ କମିଟି କୁ ଜଣେ ରିଟରନିଂ ଅଫିସର୍ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ତାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।ରାଜ୍ୟ ବାର୍ କାଉନସିଲ୍ କୁ ୨୫ ଜଣ ସଦସ୍ୟଙ୍କୁ ନିର୍ବାଚିତ କରାଯିବ।ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୧୮୪ ଟି ବାର୍ ଆସୋସିଏସନ୍ ସଦସ୍ୟ ମାନେ ଭାଗ ନେବେ।ଏହି ୨୫ ଜଣ ସଭ୍ୟ ନିର୍ବାଚିତ ହେବାପରେ ସେମାନେ ବାର୍ କାଉନସିଲ୍ ର ଅଧ୍ୟକ୍ଷ ,ଉପାଧ୍ୟକ୍ଷ ଓ ଭାରତୀୟ ଆଇନଜୀବୀ ପରିଷଦ କୁ ଜଣେ ସଦସ୍ୟଙ୍କୁ ନିର୍ବାଚିତ କରିବେ।
ଆଇନଜୀବୀ ଭାବେ ପଞ୍ଜିକୃତ ହୋଇବି ବହୁ ବ୍ୟକ୍ତି ଓକିଲାତି କରୁ ନାହାନ୍ତି କିନ୍ତୁ ଓକିଲ ଭାବେ ପରିଚୟ ଦେଇଛନ୍ତି ବୋଲି ଭାରତୀୟ ଆଇନଜୀବୀ ପରିଷଦ ମତ ଦେବାସହ ଏହାକୁ ଯାଞ୍ଚ୍ କରିବା ପାଇଁ ସବୁ ରାଜ୍ୟ ବାର୍ କାଉନସିଲ୍ କୁ ନିର୍ଦ୍ଦେଶ ଦେଇଥିଲେ।ଏହି ନିର୍ଦେଶ ପରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ପ୍ରତ୍ୟେକ ବାର୍ ଆସୋସିଏସନ୍ କୁ ଆଇନଜୀବୀଙ୍କ ସାର୍ଟିଫିକେଟ ଯାଞ୍ଚ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏବଂ ଏହି ଯାଞ୍ଚ୍ ପରେ ୧୭ ହଜାର ଓକିଲାତି କରୁ ନ ଥିବା ଆଇନଜୀବୀଙ୍କୁ ଚିହ୍ନଟ କରାଯାଇଛି।ସୂଚନାଯୋଗ୍ୟଯେ ,ରାଜ୍ୟ ବାର୍ କାଉନସିଲ୍ ର ନିର୍ବାଚନ ଶେଷଥର ଲାଗି ୨୦୧୪ ରେ ହୋଇଥିଲା ଏବଂ ଏହି ନିର୍ବାଚିତ ସଦସ୍ୟ ଙ୍କ କାର୍ଯ୍ୟକାଳ ୨୦୧୯ ମେ ମାସ ୫ ତାରିଖ ଦିନ ଶେଷ ହୋଇଥିଲା।ଏହାପରେ ଆଉ ୬ ମାସ ଲାଗି କମିଟିର କାର୍ଯ୍ୟକାଳ କୁ ବୃଦ୍ଧି କରାଯାଇଥିଲା।କିନ୍ତୁ ନିର୍ବାଚନ ପାଇଁ ଦାବି ହେବାରୁ ଭାରତୀୟ ଆଇନଜୀବୀ ପରିଷଦ ଏକ ସ୍ଵତନ୍ତ୍ର କମିଟି ଗଠନ କରିଥିଲେ।ପରେ ନିର୍ବାଚନ ସକାଶେ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ ହାଇକୋର୍ଟ ୬ ସପ୍ତାହ ମଧ୍ୟରେ ନିର୍ବାଚନ ଶେଷ କରିବା କୁ ନିର୍ଦ୍ଦେଶ ଦେଇଛନ୍ତି।