ଯାଜପୁର:ଆସନ୍ତା ୨୯ ତାରିଖ ୪ର୍ଥ ପର୍ୟ୍ୟାୟରେ ଯାଜପୁରରେ ହେବ ଭୋଟ୍ ଗ୍ରହଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନର୍ବାର ଯାଜପୁର ଗସ୍ତରେ ଆସିଛନ୍ତି । ସେ ଆଜି ଯାଜପୁରର କୋରାଇ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ କରି ପୃଥକ୍ ପୃଥକ୍ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି । ପ୍ରଥମେ କୋରାଇ ନିର୍ବାଚନ ମଣ୍ଡଳୀର ପାଣିକୋଇଲି କଲେଜ ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।
ଯାଜପୁର ଲୋକସଭା ସମେତ ବିଧାନସଭାର ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଥିଲେ ନବୀନ । ଏହାପରେ ମୁଖ୍ୟମନ୍ତ୍ରୀ ସୁକିନ୍ଦାର ଡୁବୁରୀ ହାଟପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। କେନ୍ଦ୍ର ସରକାର ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି। ଓଡିଶାବାସୀଙ୍କୁ ଉପେକ୍ଷିତ କରିଆସୁଛନ୍ତି ବୋଲି ନବୀନ କହିଛନ୍ତି । ଅତୀତରେ କେବେ ଓଡିଶାର କୌଣସି ବିପତ୍ତି ବା ବିପର୍ୟ୍ୟୟ ସମୟରେ ଏହି ବିରୋଧୀ ନେତାମାନେ ଆସିନାହାଁନ୍ତି,ଆଜି ମିଥ୍ୟା କଥା କହି କେବଳ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଥିଲେ । ୫ମ ଥର ପାଇଁ ସରକାରରେ ଆସିବା କ୍ଷଣି ତୁରନ୍ତ ଚାଷୀ ମାନଙ୍କୁ କଳିଆ ଯୋଜନାରେ ଦୁଇ କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । କୋରାଇରେ ବିଧାୟକ ପ୍ରାର୍ଥୀ ଅଶୋକ ବଳ ଏବଂ ସୁକିନ୍ଦାରେ ବିଧାୟକ ତଥା ପ୍ରାର୍ଥୀ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଦୁଇଟିଯାକ ସଭାରେ ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ ।