ମାଲ୍କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପାଦନ ହେଇପାରିଛି।ଲ୍ୟାଣ୍ଡମାଇନ୍ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ ରାସ୍ତା ଦେଇ ୧୫ କିଲୋମିଟର ଚାଲିଲେ ପୋଲିଂ ପାର୍ଟି।ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶାରେ ମତଦାନ ପରେ ଘଟିଥିବା ଏହି ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ପରେ ପ୍ରାୟ ୩୬ ଜଣ ପୋଲିଂ କର୍ମଚାରୀ ମତଦାନ ପରେ ପୋଲିଂ ବାକ୍ସଗୁଡ଼ିକ ମୁଣ୍ଡରେ ବୋହି ଘନଜଙ୍ଗଲ ପାହାଡିଆ ରାସ୍ତାରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି। କାରଣ ଭୋଟ୍ ବାକ୍ସକୁ ଜିଲ୍ଲାପାଳଙ୍କ ଅଫିସ୍ରେ ସୁରକ୍ଷିତ ପହଞ୍ଚାଇବା ଥିଲା ସେମାନଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ।
ତେଣୁ ଉପସ୍ଥିତ ସୁରକ୍ଷାକର୍ମୀମାନେ ଏହାର ବିକଳ୍ପ ବାଟ ଖୋଜିଥିଲେ। ପାଦେ ପାଦେ ଲାଣ୍ଡ୍ମାଇନର ଭୟ ଥିବାରୁ ସେମାନେ ଚାଲି ଚାଲି ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ଫଳରେ ରାତିରେ ଭୋଟିଂ ମେସିନ୍ ଧରି କର୍ମଚାରୀମାନେ ୧୫ କିଲୋମିଟର ବାଟ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚିଥିଲେ। ତେବେ ଏହି ୧୫ କିଲୋମିଟର ଚାଲିକି ଆସିବା ସେମାନଙ୍କ ପାଇଁ ଏତେ ସହଜ ନଥିଲା। କାରଣ ଏହି ରାସ୍ତାରେ ପଡ଼ୁଥିଲା ଜଙ୍ଗଲ ଓ ପାହାଡ଼। ବାଟରେ ବର୍ଷା ବି ହୋଇଥିଲା। ତେଣୁ ଓଦା ହୋଇ ସେମାନଙ୍କୁ ଆସିବାକୁ ପଡ଼ିଥିଲା। ଶୋଷ ଲାଗିବାରୁ ବାଟରେ ନାଳ ପାଣି ବି ପିଇଥିଲେ ବୋଲି ଜଣେ କର୍ମଚାରୀ କହିଛନ୍ତି।ଜଣେ ପୋଲିଂ କର୍ମଚାରୀ ନିଜର ଅଭିଜ୍ଞତା ସଂପର୍କରେ କହିଛନ୍ତି, ପାହାଡିଆ ରାସ୍ତା ଦେଇ ଯାଉଥିବା ବେଳେ ଅଚାନକ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସାଥିରେ ଥିବା ତାରପୋଲିନରେ ଆମେ ଇଭିଏମରେ ଢାଙ୍କି ଦେଇଥିଲୁ। ସକାଳ ପାହିବାରୁ ଆମେ ଖଇରପୁଟରେ ପହଂଚିଥିଲୁ। ସେତେବେଳକୁ ଚାଲିଚାଲି ଆମେ ଥକି ପଡ଼ିଥିଲୁ।

ଗଣତନ୍ତ୍ରର ଶକ୍ତି ଆଗରେ ହାର୍ ମାନିଲା ଲାଲ୍ବାହିନୀର ନାଲିଆଖି
Facebook Notice for EU!
You need to login to view and post FB Comments!