ପୁରୀ : ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା ସମିତିର ମଧ୍ୟରେ ବୈଠକ ଚାଲିବା ପରେ ବକ୍ତବ୍ୟ ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି। ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି।ତେଣୁ ଏ ପରିସ୍ଥିତିରେ କିଭଳି ଶ୍ରୀଜିଉଙ୍କ ନୀତିକାନ୍ତି ହେବ ସେ ନେଇ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା ସମିତି ପକ୍ଷରୁ ୨ ଦିନ ଧରି ବିଭିନ୍ନ ଦିଗ ଉପରେ ତର୍ଜମା ହେବ।
ଦୁଇ ଦିନ ଧରି ଆଲୋଚନା ହେବା ପରେ ସୋମବାର ଦିନ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି।ଗଜପତି କହିଛନ୍ତି, ରଥଯାତ୍ରା ନେଇ ରାଜ୍ୟ ସରକାର ଠିକ ଭାବେ ତଥ୍ୟ ଉପସ୍ଥାପନ ନ କରିବାରୁ ସୁପ୍ରିମକୋର୍ଟ ଏ ଭଳି ରାୟ ଶୁଣାଇଛନ୍ତି। ଶ୍ରୀମନ୍ଦିର ପରିଚାଳନା ସମିତି ପକ୍ଷରୁ ଦିଆଯାଇଥିବା ଭକ୍ତଶୂନ୍ୟ ରଥଯାତ୍ରା ପ୍ରସ୍ତାବକୁ ସରକାର ଗ୍ରହଣ କରିନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ଓକିଲ ରଥଯାତ୍ରା ସମୟରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ତଥ୍ୟ ରଖିଥିଲେ। ଯାହା ଫଳରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ଭଳି ରାୟ ଶୁଣାଇଥିଲେ।
ବୈଠକ ଆରମ୍ଭରୁ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ଆଦେଶକୁ ନେଇ ତୁମ୍ବିତୋଫାନ ହୋଇଥିଲା। ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ, ସର୍ବୋପରି ସେବକମାନେ ଏହି ପ୍ରସଙ୍ଗକୁ ନେଇ ଗଜପତି ମହାରାଜଙ୍କୁ ନାନା ପ୍ରଶ୍ନ କରିବା ସହ ରଥଯାତ୍ରା କିଭଳି ସୁରୁଖୁରରେ ହୋଇପାରିବ, ତାର ଉତ୍ତର ମାଗିଥିଲେ। ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ପୁଣିଥରେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।