ଭୁବନେଶ୍ୱର,୨୩।୩: ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍ଡାଉନ୍ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଜିଲାଗୁଡ଼ିକ ହେଲା ପୁରୀ, ନୟାଗଡ଼, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା। ଏହି ୯ଟି ଜିଲା ମଙ୍ଗଳବାରଠାରୁ ଲକ୍ଡାଉନ୍ ରହିବ। କରୋନା ଭୟାବହତାର ମୁକାବିଲା ଲାଗି ପୂର୍ବରୁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ ଜିଲାକୁ ଲକ୍ଡାଉନ୍ ଘୋଷଣା କରିଥିଲେ।କରୋନା ଭୂତାଣୁ ମହାମାରୀକୁ ରୋକିବା ପାଇଁ କହିବାକୁ ଗଲେ ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ମାତ୍ର ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ରୁପରେ ସଡକରେ ବୁଲୁଥିବା ଦେଖିବାକୁ ମିଳିଛି। ଦେଶର ସମସ୍ତ ଅଞ୍ଚଳରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସଉଦା ଓ ପରିବା ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।
ତେବେ, ରାଜ୍ୟବାସୀ ଏହାର ଗୁରୁତ୍ୱ କିମ୍ବା ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ ନକରି ଲକ୍ ଡାଉନ୍ ଉଲ୍ଲଂଘନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରି ଦେଇଥିବାରୁ ଏହାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ କରୋନା ମୁଖପାତ୍ର ସୁବ୍ରତ ବାଗ୍ଚୀ।ଯଦି ଆପଣମାନେ ଏହାକୁ ଗୁରୁତ୍ୱଦେବେ ନାହିଁ ତେବେ ପରିସ୍ଥିତି ଯେ କି ପ୍ରକାରର ଭୟଙ୍କର ରୂପ ଧାରଣ କରିବ ତାହାକୁ ଆପଣ କଳ୍ପନା ସୁଦ୍ଧା କରିପାରିବେ ନାହିଁ। ଯେମିତି ଗାଁରେ ଥିବା ଗୋଟିଏ ଚାଳଘରେ ନିଆଁ ଲାଗିଲେ ଚାହୁଁଚାହୁଁ ପୂରା ଗାଁ ପୂରା ଜଳି ଭସ୍ମୀଭୂତ ହୋଇ ଯାଇଥାଏ; ଶୁଖ୍ିଲା ଜଙ୍ଗଲରେ ଗୋଟିଏ ପତ୍ରରେ ନିଆଁ ଲାଗିଲେ ପୂରା ଜଙ୍ଗଲ ଯେମିତି ସଂପୂର୍ଣ ଜଳିପୋଡ଼ି ଛାରଖାର ହୋଇ ଯାଇଥାଏ: ଠିକ୍ ସେମିତି ଯଦି କରୋନା ଥରେ ମହାମାରୀର ରୂପ ଧାରଣ କରି ବ୍ୟାପିବାକୁ ଆରମ୍ଭ କରେ, ତେବେ ଆଉ କୌଣସି ପ୍ରକାର ପରିସ୍ଥିତିରେ ବି ତାକୁ ଅଟକାଯାଇ ପାରିବ ନାହିଁ। ଏ ଧ୍ରୁବସତ୍ୟକୁ ସମସ୍ତଙ୍କୁ ବୁଝିବାକୁ ଓ ହୃଦୟଙ୍ଗମ କରିବାକୁ ପଡ଼ିବ।
କେବଳ ଜଣେ ସଂକ୍ରମିତ ୫୯ ହଜାରଙ୍କୁ କରିପାରେ ପ୍ରଭାବିତ
ଭୟଭୀତ କରିବା ଆମର ଉଦ୍ଦେଶ୍ୟ ନୁହଁ। ମାତ୍ର କରୋନା ଭୂତାଣୁ କେତେ ବିପଦଜ୍ଜନକ ଓ ମାରାତ୍ମକ ଏହା ଜାଣିବା ସମସ୍ତଙ୍କୁ ଅତି ଜରୁରୀ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଜାନୁଆରୀ ୨୩ରେ ଆକଳନ କରିଥିଲା ଯେ, କରୋନା ଭୂତାଣୁରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କଠୁ ହାରାହାରି ୧.୪ ରୁ ୨.୫ ଲୋକଙ୍କ ମଧ୍ୟରେ କରୋନା ବ୍ୟାପିପାରେ। ଆଉ ଏକ ଅଧ୍ୟୟନରେ ସଂକ୍ରମଣ ହାର ୩.୬ ରୁ ୫.୮ ପ୍ରତିଶତ ଦର୍ଶାଯାଇଛି। ଯଦି ଜଣଙ୍କଠୁ ୩ ଜଣଙ୍କୁ ବ୍ୟାପେ ତେବେ ଚେନ୍ ସିଷ୍ଟମରେ ଏହା ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିପାରେ।