ସମ୍ବଲପୁର ୨୪ ।୦୯ – ଗାଁ ଦାଣ୍ଡରେ ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏଥିରେ ୨ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।ସମ୍ବଲପୁର ଯୁଯୁମରା ଥାନା ଭଣ୍ଡାରିମାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଗାଁରେ ବାରମ୍ବାର ଝିଅ ବୋହୁଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହିତ ଅସଦାଚରଣ କରୁଥିବା ୪ ଭାଇଙ୍କ ବିରୋଧରେ ଲୋକଙ୍କର ପୁଞ୍ଜିଭୂତ ଅସନ୍ତୋଷରୁ ଏହି ହତ୍ୟାକାଣ୍ଡ ଘଟିଥିବା କଳ୍ପନାଜଳ୍ପନା ଚାଲିଛି.
ଗତକାଲି ଚାରି ଭାଇଙ୍କ ସହିତ ଆଉ ଗୋଟିଏ ପରିବାର ସହ ଝଗଡ଼ା ହୋଇଥିଲେ । ରାତିରେ ଗାଁରେ ବୈଠକ ବସିବାର ଥିଲା । କିନ୍ତୁ ସେହି ପରିବାରର ସଦସ୍ୟମାନେ ଅପରପକ୍ଷଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ । ଚାରି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ନୃଶଂସଭାବେ ହାଣି ଥିଲେ । ଫଳରେ ସମସ୍ତେ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶକ୍ତିଭୂଷଣ ଓ ଅରବିନ୍ଦଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟମାନେ ଏବେବି ଚିକିତ୍ସାଧୀନ ଅଛନ୍ତି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି । ଏହା ସହିତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ କରାଯାଉଛି । ପାରିବାରିକ କହଳ ଓ କମେଣ୍ଟ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଏସ୍ପି କନୱର ବିଶାଲ ସିଂହ କହିଛନ୍ତି ।ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।