ମୁନିଗୁଡ଼ା:୭।୫ (ରମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖଜୁରୀ ପଦର ଗାଁରୁ ନାପତା ନାବାଳିକା ହରିୟାନ ରାଜ୍ୟ ଜିନ୍ଦ୍ ଜିଲ୍ଲାରୁ ଉଦ୍ଧାର ହୋଇଥିବା ମୁନିଗୁଡ଼ା ଥାନା ତରଫରୁ ଜଣାଯାଏ।ସୂଚନା ଅନୁଯାୟୀ ବିଷମକଟକ ଥାନା ଅନ୍ତର୍ଗତ ସିକବନ୍ଧା ଗାଆଁର ଏହି ନାବାଳିକା ଝିଅଟି ଗତ ମାର୍ଚ୍ଚ ମାସ ଏକ ତାରିଖରେ ତାଙ୍କ ସଂପର୍କୀୟଙ୍କ ବିଭାଘରରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଖଜୁରୀ ପଦର ଗାଆଁକୁ ଆସିଥିଲେ।ଦୁଇଦିନ ପରେ ଝିଅଟି ସେଠାରୁ ଗତ ମାର୍ଚ୍ଚ ୪ତାରିଖ ଦିନ ନିଖୋଜ ହୋଇଯାଇଥିଲା।ପରେ ଘର ଲୋକ ଓ ସମ୍ପର୍କୀୟ ଅନେକ ଖୋଜାଖୋଜି କଳା ପରେ ଝିଅ ନମିଳିବାରୁ ମାସକ ପରେ ୧-୫-୨୦୨୪ରେ ମୁନିଗୁଡ଼ା ଥାନାରେ ଝିଅର ନିଖୋଜ ନେଇ ଏତେଲା ଦେଇଥିଲେ।

ମୁନିଗୁଡ଼ା ପୋଲିସ ଏହି ସମ୍ବେଦନଶୀଳ ବିଷୟକୁ ଅତି ଗମ୍ଭୀରତା ସହିତ ନେଇ ଏସଡିପିଓ ସନ୍ତୋଷିନି ଓରାମଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ସୌଦାମିନୀ ବେହେରାଙ୍କ ନେତୃତ୍ବରେ ସେକେଣ୍ଡ ଅଫିସର ଏସ ଆଇ ମନୋରଞ୍ଜନ ବିଶ୍ୱାଳ ତଦନ୍ତ ଜୋରଦାର କରିଦେଇଥିଲେ।ଫଳରେ ବିଶେଷ ସୂତ୍ରରୁ ଖବର ପାଇ ମନୋରଞ୍ଜନ ବିଶ୍ଵାଳଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଝିଅଟିକୁ ହାରିୟାନ ରାଜ୍ୟ ଜିନ୍ଧ ଜିଲ୍ଲାରୁ ଉଦ୍ଧାର କରିଥିଲା।ଝିଅଟିକୁ ମୁନିଗୁଡ଼ା ଦୁଇଜଣ ଦଲାଲ ସେଠାରେ ବିବାହ ପାଇଁ ବିକ୍ରି କରିଦେଇଥିବା ଜଣା ପଡିଥିଲା। ହରିୟାନା ଓ ରାଜସ୍ଥାନ ଅଞ୍ଚଳରେ ବିବାହ ପାଇଁ ଝିଅ ଅଭାବ କାରଣରୁ ଅନେକ ଝିଅଙ୍କୁ ମୁନିଗୁଡ଼ା ଓ ଆଖପାଖ ଅଞ୍ଚଳରୁ ଦଲାଲ ମାନେ ମୋଟା ଅଙ୍କ ଅର୍ଥରେ ଯୋଗାଇ ଦେଉଥିବା ଶୁଣିବାକୁ ମିଳୁଥିଲା।

ହେଲେ ଏହାର ଟେର କେହି ପାଉନଥିଲେ।ଆଜି ମୁନିଗୁଡ଼ା ପୋଲିସ ଦୁଇଜଣ ଦଲାଲକୁ ଗିରଫ କରିଛି।ସେମାନେ ହେଲେ ଖଜୁରୀ ପଦରର ସାୟାବତି କିଲ୍ଲାକା (୪୩)ଅନ୍ୟ ଜଣ ହେଲେ ଟିକର୍ ପଡ଼ାର ଗୋପାଳ ନାଗ(୫୩)।ସେମାନେ ଏହି ନାବାଳିକାକୁ ୯୧ହଜାର ଟଙ୍କାରେ ବିକ୍ରି କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୨୩୨୮୦ଟଙ୍କା,ତିନୋଟି ମୋବାଇଲ ଜବତ କରାଯାଇଛି।ଏଥିସହ ଏହି ମାମଲାରେ ସମୃକ୍ତ ଥିବା ଆଧାର କେନ୍ଦ୍ର ମାଲିକଙ୍କ ଠାରୁ ଗୋଟେ ଲାପଟପ୍, ପ୍ରିଣ୍ଟର ଓ ଗୋଟେ ଫିଙ୍ଗର ପ୍ରିଣ୍ଟ ମେସିନ ପୋଲିସ ଜବତ କରିବା ସହ ମାଲିକଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି।

ପୋଲିସର କହିବା କଥା ଏହି ବେପାରରେ ଅନେକ ସଂପୃକ୍ତ ଥାଇ ପାରନ୍ତି।ତଦନ୍ତ ଚାଲିଛି।ପରେ ଅନେକ କଥା ଲୋକ ଲୋଚନକୁ ଆସିପାରେ।ଆଜି ମୁନିଗୁଡ଼ା ପୋଲିସ ନାବାଳିକା ଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ।ନାବାଳିକା ଜଣକ ସୁରକ୍ଷିତ ଥିବା ପୋଲିସ ନିକଟରୁ ପ୍ରକାଶ। ଯେଉଁଠୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା ସେମାନେ ନାବାଳିକା ଜାଣି ତାହାପ୍ରତି କୌଣସି ଖରାପ ବ୍ୟବହାର କରିନଥିଲେ।ଆଜି ମୁନିଗୁଡ଼ା ପୋଲିସ ଆସାମୀ ଦୁଇଜଣ କ ନାଁରେ କେଶ ନମ୍ୱର୍ ୭୭/୨୦୨୪ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଫରୁୱାଡ କରି ଦେଇଥିବା ଆଇଆଇସି ସୌଦାମିନୀ ବେହେରାଙ୍କ ଠାରୁ ପ୍ରକାଶ।