ଯାଜପୁର: ଆସନ୍ତାକାଲି ଉଦଘାଟିତ ହେବ ୮ମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦ । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବ କୁ ଉଦଘାଟନ କରିବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।
ଏଥିସହିତ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ମଧ୍ୟ ଉପସ୍ଥିତ ରହିବେ । ଉଦଘାଟନି ସଂଧ୍ୟାରେ ବିଶିଷ୍ଟ ବଲିଉଡ ଗାୟକ ସୋନୁ ନିଗମ ଏବଂ ୧୭ତାରିଖରେ ବଲିଉଡର କଣ୍ଠଶିଳ୍ପୀ ନକାସ ଅଜିଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ବିଭିନ୍ନ ସଂଧ୍ୟାରେ ରାଜ୍ୟର ଲୋକକଳା ,ଲୋକ ସଂଗୀତକୁ ବିଶେଷ ଗୁରୁତ୍ୱ ଦେବା ସହିତ ଓଲିଉଡ ଓ ବଲିଉଡ କକାକାର ମାନଙ୍କ ଦ୍ୱାରା ପରିବେଶିତ ହେବ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ । ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ସହିତ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହା ସାଂଗକୁ ଦୋଳୀ ଓ ମିନାବଜାର ର ମଧ୍ୟ ଆୟୋଜନ କରାଯାଇଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଜିଲାପାଳ ଓ ଏସପି ବାଳାଶ୍ରମ ପଡିଆକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ପରେ ପ୍ରସ୍ତୁତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲା ମହୋତ୍ସବରେ ବଲିଉଡ ଓ ଓଲିଉଡ କଳାକାର ମାନଙ୍କୁ ଦେଖିବା ପାଇଁ ଜିଲ୍ଲାବାସୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି ।