କଟକ :ଦାନଧର୍ମରେ ଶେଷ ହୋଇଛି ରମଜାନ ମାସ । ଦୀର୍ଘ ଦିନର ଉପବାସ ଆଜି ଶେଷ ହୋଇଛି । ରମଜାନ ଶେଷ ହେବାପରେ କଟକ ସହରରେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ପର୍ବ ଇଦ-ଉଲ-ଫିତର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ମହାନଗରର ପ୍ରତ୍ୟେକ ମସଜିଦ୍ରେ ସକାଳ ୭ଟାରୁ ୯ଟା୩୦ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ କରାଯାଇଥିଲା । ସେହପରି ସତୀଚଉରା ନିକଟ ଇଦ୍ଗାହରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଏଠାରେ ସକାଳ ୧୦.୩୦ରେ ନମାଜ ପାଠ କରାଯାଇଥିଲା । ଦିନ ତମାମ ଧର୍ମଚର୍ଚ୍ଚା ମସଜିଦ୍ ଗୁଡ଼ିକରେ ଲାଗି ରହିଥିବା ବେଳେ ସବୁ ସମ୍ପ୍ରଦାୟ ଜନସାଧାରଣ ଏହି ପର୍ବ ପାଳନରେ ସାମିଲ ହୋଇଥିଲେ । ଏହି ଅବସରରେ ମୁସଲିମ ଶ୍ରଦ୍ଧାଳୁମାନେ ସମୂହ ନମାଜ ପାଠ କରିବା ସହ ଆଲ୍ଲା(ଇଶ୍ୱର)ଙ୍କ ଠାରୁ ଦୁଆ(ଆର୍ଶିବାଦ) ମାଗିଥିଲେ ।
ଭାଇଚାରାର ବାର୍ତ୍ତା ବହନ କରୁଥିବା କଟକ ସହରରେ ଇଦ୍ ମୁବାରକ ଜଣାଇବା ପାଇଁ ମୁସଲମାନ ଭାଇଭଉଣୀମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବନ୍ଧୁ ପରିଜନ ଶୁଭେଚ୍ଛୁ ଓ ମୂରବୀଙ୍କୁ ଭେଟିଥିଲେ । ପରସ୍ପର ପରସ୍ପରକୁ ଆଲିଙ୍ଗନ କରିଥିଲେ । ମିଠା ଖୁଆଇ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ ।