କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଶିକ୍ଷାର ବିକାଶ ପାଇଁ ସରକାର ବ୍ୟାପକ ଅନୁଦାନ ବ୍ୟବସ୍ଥା କରୁଥିବା ବେଳେ ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ଅନୁଦାନ ଗୁଡିକୁ ଭିନ୍ନ ସ୍ଥାନରେ ବିନିଯୋଗ ଯୋଗୁଁ ଅବହେଳିତ ହେଉଛି ଶିକ୍ଷା ବ୍ୟବସ୍ଥା ଏବଂ ସାକ୍ଷରତା ରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ସ୍ଥିତି ଅତି ନୈରାଶ୍ୟଜନକ ଥିବା ଜଣାପଡିଛି।ନିରକ୍ଷରତାରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ସାରା ରାଜ୍ୟରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଥିବାବେଳେ ଶିକ୍ଷାର ବିକାଶ ଦିଗରେ ଏହି ଜିଲ୍ଲା ମାନଙ୍କରେ ସରକାରୀ ସ୍କୁଲ ଓ କଲେଜ ମାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ସମୁଦ୍ର କୁ ଶଙ୍ଖେ ଭଳି।
ନୀତି ଆୟୋଗର ସଦ୍ୟତମ ରିପୋର୍ଟ ଅନୁସାରେ ଓଡ଼ିଶାର ଗରିବ ଜିଲ୍ଲା ମାନଙ୍କ ମଧ୍ୟରେ କଳାହାଣ୍ଡି ପଞ୍ଚମ ସ୍ଥାନରେ ରହିଥିବାବେଳେ ବର୍ତମାନ ସାମାଜିକ କର୍ମକର୍ତ୍ତାମାନେ ଶିକ୍ଷା ଓ ସାକ୍ଷରତା କୁ ନେଇ ତର୍ଜମା କରୁଛନ୍ତି।୨୦୨୧ ର ଜନଗଣନା ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସି ନ ଥିବାରୁ ୨୦୧୧ ଜନଗଣନା ଅନୁଯାୟୀ କଳାହାଣ୍ଡିରେ ମୋଟ ୫୯.୨୨ ପ୍ରତିଶତ ସାକ୍ଷର ହୋଇଥିବାବେଳେ ମହିଳା ସାକ୍ଷରତା ହାର ମାତ୍ର ୪୬.୬୮ ପ୍ରତିଶତ ରେ ରହିଛି।କଳାହାଣ୍ଡିରେ ପ୍ରତି ୨ ଜଣ ରେ ଜଣେ ରୁ ଅଧିକ ମହିଳା ନିରକ୍ଷର ଥିବାରୁ ମହିଳା ସଶକ୍ତିକରଣ ଅତି ନୈରାଶ୍ୟ ଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏହି ଜିଲ୍ଲା ରେ ଶିକ୍ଷାର ଭିତ୍ତିଭୂମି ର ଉନ୍ନତି ପାଇଁ ଖର୍ଚ୍ଚ କରାଯାଉଥିବା ଅନୁଦାନ ଅର୍ଥ ଅତି ନଗଣ୍ୟ ଥିବା ଜଣାପଡିଛି।
ପରିଷଦର ଗତ ୧୦ ବର୍ଷର ବ୍ୟୟ ଅଟକଳ କୁ ଯଦି ତର୍ଜମା କରାଯାଏ ତାହାହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କଳାହାଣ୍ଡି ର ଶିକ୍ଷା ଓ ସାକ୍ଷରତା ର ବିକାଶ ସକାଶେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଜିଲ୍ଲାର ଶିକ୍ଷାବିତ୍ ମାନେ ପ୍ରକାଶ କରିଛନ୍ତି।ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ମୂଳ ଲକ୍ଷ୍ୟ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ ଭଳି ମୌଳିକ ଅସୁବିଧା ପ୍ରଭୃତିରେ ଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବା ସହ ଗରିବ ଚାଷୀ,ମୂଲିଆ ଓ ଖଟିଖିଆ ଦିନ ମଜୁରିଆ ଙ୍କ ଉନ୍ନତି ପାଇଁ ପ୍ରାଧାନ୍ୟ ଦେବା।କିନ୍ତୁ,ପ୍ରକୃତ କ୍ଷେତ୍ରରେ ଏହି ପରିଷଦ ତାର ମୂଳ ଉଦ୍ଦେଶ୍ୟ ଠାରୁ ଦୂରେଇ ଯାଇ ଭୋଟ ବ୍ୟାଙ୍କ୍ ରାଜନୀତିରେ ନେତା ମାନଙ୍କ ହାତବାରିଶି ସାଜିଥିବା ଅଭିଯୋଗ ହେଉଛି।ତାର ସଦ୍ୟତମ ଉଦାହରଣ କଳାହାଣ୍ଡି ଜିଲ୍ଲା ମାହାଳିଙ୍ଗ ସ୍ଥିତ ବେସରକାରୀ କଲେଜ କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଅଜାଡ଼ି ଦିଆଯାଇଥିବାବେଳେ ଜିଲ୍ଲାର ସରକାରୀ ସ୍କୁଲ, କଲେଜ ବିଶେଷକରି ପ୍ରାଥମିକ ବିଦ୍ୟାଳୟ ମାନଙ୍କର ବିକାଶ ଦିଗରେ ପରିଷଦ ପକ୍ଷରୁ ଅତି ନଗଣ୍ୟ ପାଣ୍ଠି ଖର୍ଚ୍ଚ କରାଯାଉଛି।
ଅଡିଟର ସଂସ୍ଥା କାଗ୍ ମଧ୍ୟ ଗତବର୍ଷ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ପାଣ୍ଠି ପ୍ରାଥମିକତା ନ ଥିବା ପ୍ରକଳ୍ପ ମାନଙ୍କୁ ଦିଆଯାଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।କଳାହାଣ୍ଡି ଜିଲ୍ଲାରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି।ବିଗତ ସାତ ବର୍ଷ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଭବାନିପାଟଣା ,ଜୁନାଗଡ ଭଳି ସହରାଞ୍ଚଳରେ ସ୍ପୋଟର୍ସ କମ୍ପ୍ଲେକ୍ସ ବା ଷ୍ଟାଡିୟମ୍ ନିର୍ମାଣ ପାଇଁ ତଥା ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ଅନେକ କମ୍ଯୁନିଟି ସେଣ୍ଟର ନିର୍ମାଣ ସକାଶେ ବ୍ୟୟ ବରାଦ କରାଯାଇଛି।ସରକାରଙ୍କ ସ୍ବତନ୍ତ୍ର କ୍ରୀଡା ଓ ନଗର ଉନ୍ନୟନ ମନ୍ତ୍ରାଳୟ ରହିଥିବା ସତ୍ତ୍ବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି କୁ ପାଣି ଭଳି ସହରାଞ୍ଚଳରେ ରାଜନୈତିକ ଉଦ୍ଦେଶ୍ୟ ନେଇ ଖର୍ଚ୍ଚ କରାଯାଉଥିବା ନୀତିଗତ ହେଉ ନାହିଁ ବୋଲି ସାମାଜିକ କର୍ମକର୍ତ୍ତା ମାନେ ଚର୍ଚ୍ଚା କରୁଛନ୍ତି।ସେହିପରି କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍କୁଲ ବଦଳରେ ଘରୋଇ କଲେଜ କୁ ବିକାଶ ପରିଷଦ ପାଣ୍ଠି ଦେବା କେଉଁ ଉଦ୍ଦେଶ୍ୟରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗୋଲାମୁଣ୍ଡା ବ୍ଲକ ମହାଲୀଙ୍ଗ କଲେଜ କୁ ଏ ପର୍ଯ୍ୟନ୍ତ ଦେଢ଼ କୋଟିରୁ ଅଧିକ ଅନୁଦାନ ପାଣ୍ଠି ମିଳିଥିବା ଏହାର ଏକ ଜ୍ଵଳନ୍ତ ଉଦାହରଣ।
ଘରୋଇ କଲେଜ ମାନଙ୍କରେ ପିଲାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ଫିଜ୍ ଭରି ବୋର୍ଡିଂ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବା ପରିବାର ସକ୍ଷମ ଥିବାବେଳେ ସରକାରୀ ବିଦ୍ୟାଳୟ ମାନଙ୍କ ରେ ଶିକ୍ଷା ର ଉନ୍ନତି ପାଇଁ ପ୍ରାଧାନ୍ୟ ଦେଉ ନଥିବା ଅଭିଯୋଗ ହେଉଛି।କଳାହାଣ୍ଡିର ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ କେବଳ ଜଣେ ମାତ୍ର ଶିକ୍ଷକରେ ଚାଲିଥିବାବେଳେ ବିଦ୍ୟାଳୟ ଗୃହ ମାନଙ୍କ ଦୂରାବସ୍ଥା ଓ ଭିତ୍ତିଭୂମି ର ଅଭାବ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।ଜିଲ୍ଲାର ଆଦିବାସୀ ବହୁଳ ଥୁଆମୂଲ୍ ରାମପୁର ,ଲାଞ୍ଜିଗଡ଼,ମଦନପୁର ରାମପୁର, ଜୟପାଟଣା, କଲମପୁର, କୋକସରା, ଗୋଲାମୁଣ୍ଡା, ଏପରିକି ସଦର ଭବାନିପାଟଣା ବ୍ଲକ୍ ର ଦୁର୍ଗମ ଅଞ୍ଚଳ ମାନଙ୍କରେ ଶିକ୍ଷକ ଅଭାବ ସାଙ୍ଗକୁ ସ୍କୁଲ ର ଭିତ୍ତିଭୂମି ର ଉନ୍ନତି ହୋଇପାରୁ ନଥିବାରୁ ଶିକ୍ଷାର ବିକାଶ ହୋଇ ପରୁ ନ ଥିବା ରୁ ଏଭଳି ବିଦ୍ୟାଳୟ ମାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସହାୟତା ର ହାତ ବଢ଼ାଇବା ଜରୁରୀ ହୋଇପଡିଛି।
ଦୁର୍ଗମ ଅଞ୍ଚଳ ରେ ମହିଳା ସାକ୍ଷରତା ହାର କମ୍ ଥିବାରୁ ଏସବୁ ଅଞ୍ଚଳରେ ମହିଳା ଶିକ୍ଷା ର ବିକାଶ ଏବଂ ଏଭଳି ଅଞ୍ଚଳରେ ନିୟୋଜିତ ଶିକ୍ଷକ ମାନଙ୍କୁ ଅତିରିକ୍ତ ବୋନସ୍ ସହ ଉଚିତ୍ ପ୍ରାପ୍ୟ ପ୍ରଦାନ କଲେ ଶିକ୍ଷାର ମାନ ବୃଦ୍ଧି ହେବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।କଳାହାଣ୍ଡି ରେ ଭୁଶୁଡ଼ି ପଡିଥିବା ଶିକ୍ଷା ବ୍ୟବସ୍ଥା ରେ ସୁଧାର ନ ହେଲେ ଭବିଷ୍ୟତ ରେ ଏହା ଆହୁରି ନିମ୍ନ ଗାମୀ ହେବା ଆଶଙ୍କା କୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।