ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନି ଲଣ୍ଡରିଂ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଜେଡି ଲୋକସଭାରେ ଉଠାଇଛି ଏହି ପ୍ରସଙ୍ଗ। ବୈଜୟନ୍ତଙ୍କ ମନି ଲଣ୍ଡରିଂ ମାମଲାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଶୂନ୍ୟ କାଳରେ କେତେକ ପ୍ରଶ୍ନ କରିଛନ୍ତି। ପୂର୍ବତନ ସାଂସଦ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ନେଇ ଏହି ପ୍ରଶ୍ନ ଉଠିଛି।ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ତଥା ବିଦେଶୀ ମୁଦ୍ରା ବିନିମୟ ଆଇନ ବା ଫେମା ଉଲ୍ଲଂଘନ ଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବୈଜୟନ୍ତ ବିଦେଶରେ ଆକାଉଣ୍ଟ ଖୋଲି ଆର୍ଥିକ କାରବାର କରିଥିଲେ। ଭାରତ ଫେରିବା ପରେ ବିଦେଶରେ ଆକାଉଣ୍ଟ ଥିବା କଥା ସେ ଆର୍ବିଆଇ କିମ୍ବା ସରକାରଙ୍କୁ ଜଣାଇଥିଲେ କି? ସେହିପରି ବିଦେଶୀ ଆକାଉଣ୍ଟକୁ ବନ୍ଦ କରିବା ସମୟରେ ଏଥିରେ ଥିବା ଅର୍ଥକୁ ଭାରତୀୟ ଆକାଉଣ୍ଟକୁ ପଠାଇବା ଲାଗି ଆବଶ୍ୟକ ଅନୁମତି ନେଇ ଥିଲେ କି? ଯଦି ଅନୁମତି ନେଇନଥିଲେ, ତେବେ ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଓ ଫେମା ଆଇନ୍ ସହ ଅନ୍ୟ ଅପରାଧିକ ମାମଲା ରୁଜୁ ହେବନାହିଁ କି? ଏହି ଅଭିଯୋଗ ଉପରେ କେନ୍ଦ୍ର ସରକାର କ’ଣ କାର୍ଯ୍ୟନୁଷ୍ଠାନ ନେଇଛନ୍ତି? ଆଉ କାର୍ଯ୍ୟାନୁଷ୍ଠାନ କେଉଁ ପର୍ଯ୍ୟାୟରେ ଅଛି, ତାହା ଜଣାନ୍ତୁ।”
ସେପଟେ ଏହାର ଜବାବ ଦେଇଛନ୍ତି ବୈଜୟନ୍ତ ପଣ୍ଡା। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-“ବାହାମାସ୍ରେ ମୋର କିମ୍ବା ମୋ ପରିବାର ଦ୍ୱାରା ପରିଚାଳିତ କୌଣସି କମ୍ପାନୀର ଆକାଉଣ୍ଟ ନାହିଁ। ଗତ ୬୦ ବର୍ଷ ହେଲା ମୋ ପାରିବାରିକ କମ୍ପାନୀ ଗୁଡ଼ିକ ସାରା ବିଶ୍ୱରେ ବ୍ୟାବସାୟିକ କାରବାର କରିଛନ୍ତି। ତେବେ ଏସବୁ କାରବାର ସରକାରୀ ବିଧି ବ୍ୟବସ୍ଥାରେ କରାଯାଇଛି। ଆର୍ବିଆଇ ଭଳି ଅଧିକୃତ କର୍ତ୍ତୃପକ୍ଷଙ୍କୁ ଜଣାଇ ଓ ସେମାନଙ୍କ ଅନୁମତିରେ ହୋଇଛି। ଏସମସ୍ତ ବିଷୟ ପବ୍ଲିକ ଡୋମେନ୍ ବା ସର୍ବସାଧାରଣରେ ଉପଲବ୍ଧ ରହିଛି।”