ଉତ୍ତର ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଓଡ଼ିଶା ଦିବସ ପାଳନ

59 0

ବୋଷ୍ଟନ; ତା ୨୩.୦୪ ଉତ୍ତର ଆମେରିକାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ମହାସମାରୋହରେ ୮୮ତମ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ସୋସାଇଟି ଅଫ ଆମେରିକାଜ (ଓସା)ର ଶାଖା ସଂଗଠନ ଓଡ଼ିଶା ସୋସାଇଟି ଅଫ ନିଉ ଇଂଲଣ୍ଡ (ଓ.ଏସ.ଏନ.ଇ) ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖାଯାଇଥିଲା। ଉତ୍ସବସ୍ଥଳ ମାସାଚ୍ୟୁଟସର ଅକ୍ସଫୋର୍ଡ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବେ ସଜ୍ଜାଯାଇ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା।

ଓଡ଼ିଶା ଦିବସ ସାଙ୍ଗକୁ ଓ.ଏସ.ଏନ.ଇର ୪୦ତମ ବାର୍ଷିକ ଉତ୍ସବ ଏବଂ ଆଞ୍ଚଳିକ ନାଟକ ସମାରୋହ ଏକା ସାଙ୍ଗରେ ଆୟୋଜନ କରାଯାଇଥିଲା। ସ୍ୱାଭାବିକ ଭାବେ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଏହି ତିନି ତିନିଟି ପର୍ବକୁ କେନ୍ଦ୍ର କରି ଅପୂର୍ବ ଆନନ୍ଦ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା।

ପ୍ରଥମେ ଆମେରିକା ଓ ଭାରତର ଜାତୀୟ ସଙ୍ଗୀତ ଏବଂ ତାପରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଏହାପରେ ଉପସ୍ଥିତ ଅତିଥି ଗଣ ଯଥା ନିଉୟର୍କରେ ଅବସ୍ଥାପିତ ଭାରତୀୟ ସମ୍ପ୍ରଦାୟ ବ୍ୟାପାର ଦାୟିତ୍ୱରେ ଥିବା କନସଲ୍ ଏ କେ ବିଜୟକୃଷ୍ଣନ୍, ମିଲନ ସାଂସ୍କୃତିକ ସଂଘର ଅଧ୍ୟକ୍ଷ ସୁରେଶ ଶର୍ମା, ବିଶିଷ୍ଟ ବୈଜ୍ଞାନିକ ଓ ଲେଖକ ଡ଼ଃ ଲକ୍ଷ୍ମୀ ପରିଡ଼ା ଏବଂ ନିଉ ଇଂଲଣ୍ଡ ଇସ୍କନ କେନ୍ଦ୍ରର ମୁଖ୍ୟ ପ୍ରଭୁ ଶ୍ରୀ ସଦାନନ୍ଦ ଦାସ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ଓ.ଏସ.ଏନ.ଇର ସଭାପତି ଡଃ ବିଶ୍ଵ ଭୂଷଣ ସାହୁ, ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ଉତ୍ତର ଆମେରିକାରେ ଲୋକପ୍ରିୟ କରିବାରେ ତାଙ୍କ ସଙ୍ଗଠନର ବ୍ୟାପକ ଯୋଗଦାନ ଉପରେ ଆଲୋକପାତ କରିଥିଲେ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ସମାବେଶକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ.ଏସ.ଏନ.ଇର ପ୍ରତିଷ୍ଠାତା ସଦସ୍ୟ ଡଃ ବିଜୟ ଏବଂ ସୁବର୍ଣ୍ଣା ମିଶ୍ର, ସତ୍ୟବ୍ରତ ଓ ବିଜୟଲକ୍ଷ୍ମୀ ମିଶ୍ର, ଡଃ ବୁଦ୍ଧିନାଥ ଓ କଲ୍ୟାଣୀ ପାଢ଼ୀ ତଥା ଚନ୍ଦ୍ରଶେଖର ମହାନ୍ତି ପ୍ରମୁଖ ସମାବେଶରେ ଉଦବୋଧନ ଦେଇଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଓସାର ନିଉୟର୍କ ଓ ନିଉଜର୍ସୀ ଅଧ୍ୟାୟର ସଭାପତି ନାଗେଶ ରାଜନାଲା ଏବଂ ପୂର୍ବତନ ସଭାପତି ବିଜୟ ମିଶ୍ର ଅନ୍ତର୍ଭୁକ୍ତ ଥିଲେ।
ଉତ୍ସବର ବିଶେଷ ଆକର୍ଷଣ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଏ ମଧ୍ୟରେ ନାଟକ ସମାରୋହର ଅଧୀନରେ ମାସାଚ୍ୟୁଟସ୍, ନିଉହାମ୍ପସାୟାର ଏବଂ କନେକ୍ଟୀକଟର ଟିମଙ୍କ ଦ୍ଵାରା ମଞ୍ଚସ୍ଥ ତିନୋଟି ଅଭିନବ ଶୈଳୀର ନାଟକ ଖୁବ୍ ଭବୌଦ୍ଦିପକ ଥିଲା।

ଓସାର ନିଉୟର୍କ, ନିଉଜର୍ସୀ ଏବଂ ପେନସିଲଭାନିଆର ସଦସ୍ୟମାନଙ୍କ ଦ୍ୱାରା ବିଭିନ୍ନ ନାଟକରେ ଅଭିନୟ ମଧ୍ୟ ଉଲ୍ଲେଖଯୋଗ୍ୟ ଥିଲା। ଓ.ଏସ.ଏନ.ଇର ଯୁବ ଓ ଶିଶୁ କଳାକାର ମାନେ ପରିବେଷଣ କରିଥିବା ଓଡ଼ିଶୀ, ଓଲିଉଡ ଓ ରଙ୍ଗବତୀ ଆଦି ଗୋଷ୍ଠୀ ନୃତ୍ୟ ବେଶ ଆକର୍ଷକ ଥିଲା। ଭିଜନ-୨୦୨୪ ଶୀର୍ଷକ ଓଡ଼ିଶାରେ ସର୍ବସାଧାରଣ ପାଠାଗାର ସଂକ୍ରାନ୍ତୀୟ କର୍ମଶାଳା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଅତ୍ୟାଧୁନିକରଣର ବାର୍ତ୍ତା ବହନ କରୁଥିଲା। ଏହି ଅବସରରେ ଆୟୋଜିତ ଫେସନ୍ ସୋ ଓଡ଼ିଶାର ଉଚ୍ଚକୋଟୀର ହସ୍ତତନ୍ତ ଏବଂ ବସ୍ତ୍ରର ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଥିଲା। ଏଠାରେ ଲଗାଯାଇଥିବା ଫଟୋ ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ବିଶେଷତ୍ଵ ଯଥା ପଟ୍ଟଚିତ୍ର, ଆଦିବାସୀ କଳାକୃତି, ଟେରାକୋଟା ଛବି, ଗୀତଗୋବିନ୍ଦର ଚିତ୍ର ଥିବା କପଡ଼ା ସାମଗ୍ରୀ, କଟକର ତାରକସି କାମ, ପିପିଲିର ଚାନ୍ଦୁଆ ଏବଂ ଚିଲିକା ହ୍ରଦର ସୌନ୍ଦର୍ଯ୍ୟ ବୃତ୍ତାନ୍ତ ଆଦି ସ୍ଥାନ ପାଇଥିଲା। ସମ୍ମିଳନୀ ପରିସରରେ ଓଡ଼ିଶାର ହସ୍ତକଳା, ବୟନ ଶିଳ୍ପ ଏବଂ ଓଡ଼ିଆ ବହି ଷ୍ଟଲ ମାନ ଲଗାଯାଇଥିଲା।

ଚଳିତ ବର୍ଷ ଉତ୍କଳ ଦିବସର ପ୍ରଧାନ ଆକର୍ଷଣ ଓଡ଼ିଆ ଖାଦ୍ୟ ଉତ୍ସବ ଥିଲା। ଏଠାରେ ପାରମ୍ପାରିକ ଓଡ଼ିଆ ବ୍ୟଞ୍ଜନମାନ ମହଜୁଦ ରହିଥିଲା। ଏହାସହିତ ପିଠାପଣା ପ୍ରତିଦ୍ବନ୍ଦିତା ଆୟୋଜନ ତଥା ପଖାଳ ଓ ଛେନାପୋଡ଼ ଦିବସ ପାଳନ ବେଶ ମନୋରଞ୍ଜକ ଥିଲା। ଆଗନ୍ତୁକ ମାନଙ୍କୁ ସ୍ଵାଦିଷ୍ଟ ଓଡ଼ିଶା ଖାଦ୍ୟ ଦ୍ଵାରା ଆପ୍ୟାୟିତ କରାଯାଇ ସମାରୋହ ସମାପନ କରାଯାଇଥିଲା। ସମଗ୍ର ଆୟୋଜନକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ଓ.ଏସ.ଏନ.ଇର ସଭାପତି ଡ଼ଃ ବିଶ୍ବଭୂଷଣ ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉତ୍ସବର ଅଭୂତ ପୂର୍ବ ସଫଳତା ମୂଳରେ ଓ.ଏସ.ଏନ.ଇର କାର୍ଯ୍ୟକାରୀ କମିଟି ସଦସ୍ୟ ରଶ୍ମୀ ରଞ୍ଜନ ରଥ, ଜୟଶ୍ରୀ ମହାପାତ୍ର, ଆକାଂକ୍ଷା ପଟ୍ଟନାୟକ, ଲିପ୍ସା ପଣ୍ଡା, ସରୋଜ ବେହେରା, ରାଜେଶ ପଟ୍ଟନାୟକ, ସସ୍ମିତା ଶତପଥୀ ଏବଂ ରୀମା ପଟ୍ଟନାୟକ ପ୍ରମୁଖଙ୍କର ସକ୍ରିୟ ଯୋଗଦାନ ରହିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ। କାର୍ଯ୍ୟକାରୀ କମିଟି ତରଫରୁ ସାଂଗଠାନିକ କାର୍ଯ୍ୟରେ ନିୟୋଜିତ ଥିବା ସ୍ବେଚ୍ଛାସେବୀ ମାନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Related Post

ବିଶ୍ବ ଓଡିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟିର ଡାକରା ୱାର୍ଲଡ ଓଡ଼ିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳନ

Posted by - January 16, 2023 0
ଭୁବନେଶ୍ବର /ନୂଆଦିଲ୍ଲୀ:୧୫.୧ ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ…

ବାହାରିନ ଓଡ଼ିଆ ସମାଜର ଲିଟିଲ ଇଣ୍ଡିଆ ମହୋତ୍ସବରେ ଯୋଗଦାନ

Posted by - October 21, 2021 0
ମାନାମା: ତା ୨୦.୧୦. ଦ୍ବୀପପୁଞ୍ଜର ରାଷ୍ଟ୍ର ବାହାରିନ ଠାରେ ଗତ ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ‘ଲିଟିଲ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ୍’ ପ୍ରବଳ…

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 989
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 4
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

ବାହାରିନ ଓଡ଼ିଆ ସମାଜ ତରଫରୁ ଉତ୍କଳ ଦିବସ ପାଳନ

Posted by - May 23, 2022 0
ମାନାମା: ତା ୨୩.୦୫.୨୦୨୨ ବାହାରିନ ଓଡ଼ିଆ ସମାଜ (ବାଓସ) ତରଫରୁ ଉତ୍କଳ ଦିବସ – ୨୦୨୨ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଏଠାକାର ଇଣ୍ଡିଆନ୍…