ନୂଆଦିଲୀ:୩୦ ମଇ ବିଜେପିର ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀଙ୍କୁ ମୋଦିଙ୍କ ଦ୍ବିତୀୟପାଳି ସରକାରରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ପ୍ରତାପ ଷଢଙ୍ଗୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ।ସେହିପରି ଭାବେ ପ୍ରଥମ ପାଳି ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ମୋଦିଙ୍କ ଦ୍ବିତୀୟ ପାଳି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି .
ଓଡିଶାରେ ଚଳିତ ଥର ୮ ଜଣ ସାଂସଦ ବିଜୟୀ ହୋଇଥିବା ବେଳେ ନିଜେ ଧର୍ମେନ୍ଦ୍ର ନିର୍ବାଚନ ଲଢିନଥିଲେ। ସମଗ୍ର ରାଜ୍ୟରେ ସେ ନିର୍ବାଚନ ପ୍ରଚାର ପିରଚାଳନା କରିଥିଲେ। ୨୦୦୦ ମସିହାରେ ବିଜେପିକୁ ଓଡିଶାରୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ଚଳିତ ଥର ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦଳ ୨୧ରୁ ୮ଟି ଆସନରେ ବିଜୟୀ ହୋଇଛି। ଓଡ଼ିଶାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶପଥ ନେଇଛନ୍ତି। ସେ ଓଡ଼ିଶାର ମୋଦି ଭାବେ ବେଶ ପରିଚିତ। ସେ ୫୪ତମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ମୋଦିଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ୨୫ ଜଣ ସାଂସଦ ଶପଥ ନେଇଥିଲେ। ମୋଦିଙ୍କ କ୍ୟାବିନେଟ୍ରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି।ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ଏଥର ବାଦ୍ ପଡ଼ିଛନ୍ତି।