କେନ୍ଦ୍ରାପଡ଼ା :ମହାକାଳପଡ଼ା ନିପାଣିଆ ଗାଁର ସେହି ସ୍ଥାନ ଯେଉଁଠି ଘଟିଥିଲା ସେଇ ଭୟାନକ ଦୁର୍ଘଟଣା। ହଠାତ୍ ନଈକୂଳିଆ ନିସ୍ତବ୍ଧତା ଆଉ ଅନ୍ଧାର ଚିରି ଭାସି ଆସିଥିଲା ଆକୁଳ ଚିତ୍କାର। ସେତିକିବେଳେ ମୁହାଣ ମୁହଁରେ ମରଣ ଆଁରେ ଥିବା ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ ଦୁଇ ଭଉଣୀ ବବିତା ଗିରି ଓ ପୂର୍ଣ୍ଣିମା ଗିରି।
କୁଜଙ୍ଗ ନିକଟରୁ ହସିଣା ଗ୍ରାମର ୮ଟି ପରିବାରର ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳରେ ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଥିଲେ। ଅନ୍ଧାର ରାତିରେ ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହାଡ଼ଥରା ଜାଡ଼, ଅନ୍ଧାର ଆଉ ଜୁଆରିଆ ନଈକୁ ଖାତିର ନକରି, ଡେଇଁ ପଡ଼ିଥିଲେ ପାଣି ଭିତରକୁ। ଆଉ ଏ ଦୁଇ ଭଉଣୀଙ୍କ ପାଇଁ ଛୋଟ ଛୋଟ ପିଲାଙ୍କ ସମେତ ୧୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି।
ନିପାଣିଆ ଗାଁରୁ ଗତକାଲି ସକାଳ ପ୍ରାୟ ୯ଟା ବେଳେ ଛୋଟବଡ଼ ହୋଇ ପ୍ରାୟ ୫୦ରୁ ଅଧିକ ହୁକିଟେଲା ଯାଇଥିଲେ। ହେଲେ ସେମାନଙ୍କ ଭିତରୁ ଅଫେରା ଦୁନିଆକୁ ଚାଲିଯାଇଛନ୍ତି ୭ ଶିଶୁଙ୍କ ସହ ୯ଜଣ।କୁଜଙ୍ଗ ଅଂଚଳର ହସିଣା ଗାଁରେ ହଜାର ହଜାର ସଂପର୍କୀୟଙ୍କ ଉପସ୍ଥିତିରେ ଗୁରୁବାର ୮ ଜଣଙ୍କ ଶବ ଏକକାଳୀନ ସଂସ୍କାର କରାଯାଇଥିବା ବେଳେ ଅନ୍ୟ ମୃତକ ଶିଶୁକନ୍ୟାଙ୍କ ଶବକୁ ସଂସ୍କାର ପାଇଁ ପରିବାର ଲୋକଙ୍କ ଦ୍ୱାରା ଗଣ୍ଡକିପୁର ନିଆଯାଇଥିଲା। ଶବ ସଂସ୍କାର ବେଳେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଗାଁ ମଶାଣୀରେ ଜୁଇ ଜଳୁଥିବା ବେଳେ କାହାରି ମୁହଁରୁ କଥା ବାହାରୁ ନଥିଲା। ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ଅଂଚଳ ସ୍ତବ୍ଧ ପାଲଟି ଯାଇଥିଲା।