ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସଫଳ ହେଲା ମିଶନ ଗଜରାଜ। ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ ଦ୍ବାରା କାବୁ କଲା ବନବିଭାଗ ।ଦୀର୍ଘ ୯ଦିନ ଧରି ଯାଜପୁରର କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକରେ ଆତଙ୍କ ଖେଳାଇଥିଲା ଦନ୍ତା ହାତୀ । ବହୁ ପରିଶ୍ରମ ପରେ ଶେଷରେ ବନବିଭାଗକୁ ମିଳିଛି ସଫଳତା । ନରହନ୍ତା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ବନବିଭାଗ ପକ୍ଷରୁ ଦୀର୍ଘ ୭ ଘଣ୍ଟା ଧରି ଅପରେସନ ଚାଲିଥିଲା ।
.ହାତୀ ଆକ୍ରମଣରେ ଜୀବନ ହରାଇ ଥିଲେ ୪ଜଣ । ଏଥି ସହ ୧୦ଜଣଙ୍କୁ ଆହତ କରିଥିବା ବେଳେ ଭାଙ୍ଗିଛି ବହୁ ଘରଦ୍ୱାର ଏହି ଦନ୍ତା ହାତୀ । ଏଥିପାଇଁ ବନବିଭାଗକୁ ଦାୟୀ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଆଜି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ଓ ମିଲିଟାରୀ ଛକ ଠାରେ ଯାଜପୁର ରୋଡ଼ ଡୁବୁରୀ ରାସ୍ତା ଅବରୋଧ କରିଥିଲେ ଲୋକେ। ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବା ପାଇଁ ଲୋକେ ଦାବି କରିଥିଲେ । ତେବେ ଆଜି ବନବିଭାଗ ପକ୍ଷରୁ ସାତକୋଶିଆ ଏବଂ ଚନ୍ଦକା ରୁ ଏକ ସ୍ବତନ୍ତ୍ର ଟିମ୍ ଆସି ହାତୀ କୁ ଟ୍ରାଙ୍କୁଲାଇଜ୍ କରିବାକୁ ସକ୍ଷମ ହୋଇଛନ୍ତି । ମଧ୍ୟାହ୍ନ ୧ଟା ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ଏବେ ହାତୀ କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଆକାଶ ମାର୍ଗରୁ ଡ୍ରନ କ୍ୟାମେରା ସାହାଯ୍ୟରେ ହାତୀ କୁ ଖୋଜିଥିଲେ ବନ ବିଭାଗ । ଶେଷରେ କଣ୍ଟିପୁର ନିକଟରୁ ମିଳିଛି ଠାବ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।