
ଯୋଡ଼ା : (ମନୋଜ ସାହୁ )କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ କଣ୍ଡରା ଟୋଲ ପ୍ଲାଜା ନିକଟରେ ଟ୍ରକ୍ କୁ ଧକା ଦେଲା ବସ୍, ଜଣେ ମୃତ, ୧୩ ଜଣ ଗୁରୁତର ଆହତ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ବସର ହେଲ୍ପର ବୋଲି ଜଣାପଡିଛି ।ସୂଚନା ଅନୁସାରେ, ରବିବାର ଯୋଡ଼ା ଥାନା ବଳିତା ଗ୍ରାମର ଭରତ ନାଏକଙ୍କ ଝିଅ ବିବାହ ବାଂଶପାଳ ବ୍ଲକ୍ ନାୟାକୋଟ ଥାନା ଜାଗର ଗାଁରେ ହୋଇଥିଲା । ପରମ୍ପରା ଅନୁଯାୟୀ ବିବାହ ପରଦିନ କନ୍ୟାଘର ପକ୍ଷରୁ ୫୦ ରୁ ଅଧିକ କନ୍ୟାଯାତ୍ରୀ ‘ସୁବାସିନୀ’ ନାମକ ବସ୍ ଯୋଗେ ବର ଘରକୁ ଯାଇଥିଲେ । ତେବେ ସେଠାରୁ ଭୋଜି ଖାଇ ଫେରିବାବେଳେ ମଧ୍ୟ ରାତ୍ରୀରେ ଏହି ଅଘଟଣ ଘଟିଥିଲା । କଣ୍ଡ୍ରା ଟୋଲ୍ ପ୍ଲାଜା ପାରହେବା ପରେ ବସ୍ ଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଜୋରଦାର୍ ଧକ୍କା ଦେଇଥିଲା ।
ସୂଚନା ପାଇ ତୁରନ୍ତ ଯୋଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ । ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଯାଇଥିବା ଜଣାପଡ଼ିଛି । ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।