
ଭୁବନେଶ୍ୱର: ଗତକାଲି ତିନି ରଥ ଟଣାରେ ବିଳମ୍ବ ସହ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ହିଁ ଛିଡା ହୋଇ ରହିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ନବୀନ ଉଲ୍ଲେଖ କରିଛନ୍ତି ଯେ, ‘ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ। ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା।