ପୁରୀ ୯/୫(ମନୋଜ କୁମାର ବଳୀୟାରସିଂ) ଶ୍ରୀମନ୍ଦିର ସେବକ ବାଳକ ବାଳିକା ମାନଙ୍କ ପାଇଁ ଏକ ସନ୍ତରଣ ପ୍ରଶିକ୍ଷଣ ଶିବିର ଚଳିତ ମାସ ୧୩ ତାରିଖ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଷ୍ଟାଡିୟମ ସନ୍ତରଣାଗାରରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ଏ ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଯୋଗ ଦେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ପ୍ରତ୍ୟେକ ଙ୍କ ମଧ୍ୟରେ ପ୍ରତିଭା ରହିଛି ଓ ଏହାର ଉନ୍ମେଷ ର ଆବଶ୍ୟକତା ରହିଛି ବୋଲି କହିଥିଲେ।ନିଜକୁ ସୁସ୍ଥ ଓ ନୀରୋଗ ରଖିବାକୁ ଯୋଗ, ବ୍ୟାୟାମ ପରି କ୍ରୀଡା ମଧ୍ୟ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି କହିବା ସହ ସନ୍ତରଣ ପ୍ରତି ପିଲା ମାନଙ୍କ ଆଗ୍ରହ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ପିଲା ମାନଙ୍କ ଶୃଙ୍ଖଳା ଓ ଚରିତ୍ର ଗଠନ ପାଇଁ ଏହା ବେଶ ଉପାଦେୟ ହୋଇ ପାରିବ ବୋଲି କହିଥିଲେ।

ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ସେବକ କଲ୍ୟାଣର ବରିଷ୍ଠ ସହାୟକ ସୂର୍ଯ୍ୟ ନାରାୟଣ ମହାପାତ୍ର ବିସ୍ତୃତ ସୂଚନା ଦେଇ ୩ଟି ସ୍ଲଟରେ ସନ୍ତରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି କହିଥିଲେ।ସୋମବାର ବ୍ୟତୀତ ସକାଳ ୭.୧୫ ମି ରୁ ୮ ଘଟିକା,ସକାଳ ୯ ଟାରୁ ୯.୪୫ ଘଟିକା ପର୍ଯ୍ୟନ୍ତ ବାଳକ ମାନଙ୍କର ଓ ୯.୪୫ ମିନିଟ ରେ ସକାଳ ୧୦.୩୦ ଘଟିକା ପର୍ଯ୍ୟନ୍ତ ବାଳିକା ମାନଙ୍କ ର ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ସନ୍ତରଣ କଷ୍ଟ୍ୟୁମ ବା ପୋଷାକ ରେ ସନ୍ତରଣ କରିବେ ବୋଲି ସେମାନେ କହିଥିଲେ।କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ସହକାରୀ ପ୍ରଶାସକ ଶୁଭଶ୍ରୀ ସୁଚିସ୍ମିତା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ବରିଷ୍ଠ ସେବାୟତ ଓ ଅନ୍ୟାନ୍ୟ ସେବାୟତ ଏବଂ କୁନି ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ।ଶେଷରେ ପ୍ରତିଯୋଗୀ ଙ୍କୁ କିଟସ ପ୍ରଦାନ କରାଯାଇଥିଲା।