
ପୁରୀ : (ମନୋଜ କୁମାର ବଳିଆରସିଂ )ଶ୍ରୀକ୍ଷେତ୍ର କଲୋନୀ ସ୍ଥିତ ନୀଳକଣ୍ଠ ଟେବୁଲ୍ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ୦୩.୦୬.୨୦୨୫ ତାରିଖ ଠାରୁ ଆରମ୍ଭ ହୋଇ ୦୯.୦୬.୨୦୨୫ ରେ ଉଦଯାପିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୟସ ବର୍ଗର ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ବରିଷ୍ଠ କୋଚ ଶ୍ରୀଯୁକ୍ତ କଲ୍ଲୋଳ ଗାଙ୍ଗୁଲି ତଥା ଡାକ୍ତର କୁମାର ଅରୋଜ୍ୟୋତିଙ୍କ ତତ୍ତ୍ଵାବଧାନରେ ଖେଳାଳି ମାନେ ୭ ଦିନ ବ୍ୟାପୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ ତଥା ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗପତି ଶ୍ରୀଯୁକ୍ତ ଜୟ ଜଗଦୀଶ ପାତ୍ର ତଥା ଦନ୍ତ ବିଶେଷଜ୍ଞ ଡ଼ା ଶ୍ରୀମତୀ ଶୀତଲ୍ କୋଟ୍ନି ଯୋଗ ଦେଇଥିଲେ ।
ସଭାର ପ୍ରାରମ୍ଭ ଏକାଡେମୀର ସଦସ୍ୟ ଆଡଭୋକେଟ୍ ଶ୍ରୀପ୍ରକାଶ ମିଶ୍ରଙ୍କ ଶ୍ରୀଜଗନ୍ନାଥଙ୍କ ସ୍ତୋତ୍ର ଉଚ୍ଚାରଣରୁ ହୋଇଥିଲା ଓ ଏହାପରେ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏକାଡେମୀର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସଂଗ୍ରାମ କିଶୋର ରଥ ଏକାଡେମୀର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅନୁଷ୍ଠାନ ସମ୍ପର୍କରେ ଡାକ୍ତର କୁମାର ଅରୋଜ୍ୟୋତି ସମ୍ୟକ୍ ସୂଚନା ପ୍ରଦାନ କରି ପୁରୀରେ ଟେବୁଲ୍ ଟେନିସ ନିମିତ୍ତ ସରକାରୀ ସ୍ତରରେ ଏକ ପେଶାଦାର ଟେବୁଲ୍ ଟେନିସ ସୁବିଧା ଥିବା ହଲ୍ ର ଆବଶ୍ୟକତା ଉପରେ ମତ ବ୍ୟକ୍ତ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ ପୁରୀରେ ଟେବୁଲ୍ ଟେନିସର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଯୁକ୍ତ ଜୟ ଜଗଦୀଶ ପାତ୍ର ତଥା ଡ଼ା ଶ୍ରୀମତୀ ଶୀତଲ୍ କୋଟ୍ନି ପ୍ରମୁଖ ପୁରୀରେ ଟେବୁଲ୍ ଟେନିସର ପ୍ରଚାର ଓ ପ୍ରସାର ଦିଗରେ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ତଥା ଖେଳାଳୀ ମାନଙ୍କ ପ୍ରଶିକ୍ଷଣ ଦିଗରେ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଅତିଥି ମାନେ ପୁରୀର ବରିଷ୍ଠ ହ୍ୟାଣ୍ଡବଲ୍ ଖେଳାଳୀ ତଥା ନିକଟ ଅତୀତରେ ଭାରତକୁ ଏସୀୟ ବିଚ୍ ହ୍ୟାଣ୍ଡବଲ୍ ପ୍ରତିଯୋଗୀତାରେ ପ୍ରତିନିଧିତ୍ଵ କରିଥିବା ଶ୍ରୀଯୁକ୍ତ ରଞ୍ଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହାପରେ ଜାତୀୟ ଟେବୁଲ୍ ଟେନିସ ପ୍ରତିଯୋଗୀତାରେ କନିଷ୍ଠ ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିଥିବା ଏକାଡେମୀର ଖେଳାଳୀ କୁମାରୀ ଶ୍ରୀତିଜା ଚୌଧୁରୀ ଓ କୁମାରୀ ଅନୋଖି ମହାନ୍ତି ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଶେଷରେ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ତ୍ରିଦିପ୍ ଦାସ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ପ୍ରଶିକ୍ଷଣ ଶିବିରର ଆୟୋଜନ ଦ୍ଵାରା ଖେଳାଳି ମାନଙ୍କ କ୍ରିଡ଼ା ଦକ୍ଷତାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ସଭାର ଶେଷରେ ଡ଼ାକ୍ତର କୁମାର ଅରୋଜ୍ୟୋତି ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଆଡଭୋକେଟ୍ ସତ୍ୟବ୍ରତ ଷଡ଼ଙ୍ଗୀ, ଶ୍ରୀଯୁକ୍ତ ଆର୍ଯ୍ୟକାନ୍ତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ବିଶ୍ୱଜିତ୍ ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।