କଳାହାଣ୍ଡି : (ନରେନ୍ଦ୍ର ନେଗୀ) କଳାହାଣ୍ଡି ଜିଲ୍ଲାରେ ପୁଣି ଚନ୍ଦନ କାଠ ଚୋରାଚାଲାଣକlରି ସକ୍ରିୟ ହୋଇ ଉଠିଛନ୍ତି l କିଛି ମାସର ବ୍ୟବଧାନ ପରେ ଏବେ ପୁଣି ଚନ୍ଦନ କାଠ ଚୋର ମାନେ ଲାଞ୍ଜିଗଡ଼ ବ୍ଲକ ବିଜେପୁର କେନ୍ଦୁଗୁଡା ଗାଁରୁ ସାତଟି ଚନ୍ଦନ ଗଛକୁ ଶନିବାର ରାତିରେ କାଟି ନେଇଛନ୍ତି l ସୂଚନା ଅନୁସାରେ କେନ୍ଦୁଗୁଡା ଗାଁର ମୁରଲୀ ଧର ସାହୁ ଗତ କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ଜୟପୁରରୁ ଚନ୍ଦନ ଗଛ ଚାରା ଆଣି ତାଙ୍କ ଘର ସାମ୍ନାରେ, ଘର ବାଡିପଟେ ଓ ଘର ନିକଟରେ ଥିବା ଚାଷ ଜମି ହୁଡ଼ାରେ ଲଗାଇ ଥିଲେ l ବର୍ଷ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ୮ ଗୋଟି ଚନ୍ଦନ ଗଛକୁ ବହୁ ଯତ୍ନରେ ରଖିଥିଲେ। ସେହି ଗଛ ଗୁଡିକ ବର୍ତ୍ତମାନ ୨ରୁ ୩ ଫୁଟ ହୋଇଥିଲା l ଶନିବାର ରାତିରେ ମୁରଲୀ ଓ ତାଙ୍କ ପରିବାର ଶୋଇ ଥିବା ସମୟରେ ଚନ୍ଦନ କାଠ ମାଫିଆ ମାନେ ଆସି ଘର ନିକଟରେ ଥିବା ଗୋଟିଏ ଚନ୍ଦନ ଗଛକୁ ଛାଡି ଦେଇ ଅନ୍ୟ ୭ ଗୋଟି ଚନ୍ଦନ ଗଛକୁ କାଟି ନେଇ ଯାଇଛନ୍ତି। ଯାହାର ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ ହେବ ବୋଲି ମୁରଲୀ ପ୍ରକାଶ କରିଛନ୍ତି। ସକାଳେ ଉଠିବା ପରେ ଚନ୍ଦନ ଗଛ ଚୋରି ହୋଇଯାଇଥିବା ମୁରଲୀ ଜାଣି ପାରିଥିଲେ l
ଚନ୍ଦନ ଗଛ କିଣିବା ପାଇଁ ପୂର୍ବରୁ ତଳେ ରାୟଗଡା ଜିଲ୍ଲା ରାପକଣା ଗ୍ରାମର ଜଣେ ଆସିଥିବା ବେଳେ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସାଇସୁରନି ଗୁଣୁପୁର ଅଞ୍ଚଳର ଜଣେଲୋକ ଆସି ଚନ୍ଦନ ଗଛ କିଣିବା ପାଇଁ ମୁରଲୀଙ୍କୁ କହିଥିଲେ । ମୁରଲୀ କିନ୍ତୁ ଚନ୍ଦନ ଗଛ ବିକ୍ରି କରିବା ପାଇଁ ରୋକଠୋକ ମନା କରିଦେଇଥିଲେ।ତେଣୁ ଗାଁ ଆଖପାଖ ଲୋକଙ୍କୁ ଧରି ସେହି ଚନ୍ଦନ କାଠ ବ୍ୟବସାୟୀ ମାନେ ଚନ୍ଦନ ଗଛ କାଟିନେଇଥିବା ସନ୍ଧେହ କରି ଛନ୍ତି ମୁରଲୀ l ସୂଚନା ଯୋଗ୍ୟ ପୂର୍ବରୁ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ଚନ୍ଦନ ଗଛକୁ ଚୋରା ଚାଲାଣକାରି ମାନେ କାଟି ନେଇଛନ୍ତି l ଏପରିକି ରାମପୁର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଏକ ୪୦ ବର୍ଷ ପୁରୁଣା ଚନ୍ଦନ ଗଛକୁ ମଧ୍ୟ କାଟି ନେଇଥିଲେ l ଏକଦା ଚମ୍ପା ଓ ଚନ୍ଦନ ଗଛରେ ଭରପୁର ଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଅଞ୍ଚଳ ଏବେ ଚନ୍ଦନ କାଠ ମାଫିଆ ମାନଙ୍କ ଯୋଗୁ ଚନ୍ଦନ ଗଛ ଶୂନ୍ୟ ହେବାକୁ ଲାଗିଛି l ତେଣୁ ଏହାର ତୁରନ୍ତ ତଦନ୍ତ କରି ଚନ୍ଦନ କାଠ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l