ବରୀ ,୨୮/୧୧- ଆଜି ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଂଚାୟତର ସମିତି ସଭ୍ୟ ଉପ- ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥିନୀ ମମତା ସାମଲ ୭୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏହି ପଂଚାୟତରେ ସମିତି ସଭ୍ୟ ଉପ- ନିର୍ବାଚନ ପାଇଁ ବିଜେଡି ସମର୍ôଥତ ମମତା ସାମଲଙ୍କ ସହିତ ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରଫୁଲ ସାମଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ୫୯୯୩ ଜଣ ଭୋଟରଙ୍କ ମଧ୍ୟରୁ ବୁଧବାର ଭୋଟ ଗ୍ରହଣ ଦିନ ୩୪୯୯ ଜଣ ଭୋଟର ଶାନ୍ତି ଶୃଙ୍ଖଳାରେ ମତସାବ୍ୟସ୍ତ କରିଥିଲେ । ଗୁରବାର ବରୀ ବ୍ଲକ ପରିସରରେ ପୋଲିସର କଡା ସୁରକ୍ଷା ବଳରେ ଭୋଟ ଗଣତି କାର୍ଯ୍ୟକ୍ରମ ହୋଇଥିଲା ।ଏହି ଭୋଟ ଗଣତି କାର୍ଯ୍ୟକ୍ରମ ସକାଳ ୮ଟାରେ ଆରମ୍ଭ ହେବାକୁ ଥିଲାବେଳେ ଭାଜପା ସମର୍ଥିତ ପ୍ରାର୍ଥିଙ୍କ ପକ୍ଷରୁ କୈାଣସି ଏଜେଣ୍ଟ ଗଣତି କେନ୍ଦ୍ରରେ ଉପସ୍ଥିତ ନଥିଲେ । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୧ ଘଣ୍ଟା ଏଜେଣ୍ଟ ମାନଙ୍କ ପାଇଁ ସୁଯୋଗ ଦିଆଯାଇଥିଲା । ବିଜେପି ସମର୍ଥିତ ଏଜେଣ୍ଟ ମାନେ ଅନୁସ୍ଥିତ ରହିଥିଲେ । ପରେ ୯ ଘଟିକାରୁ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଦିନ ୧ଟାରେ ଗଣତିର ଫଳାଫଳ ବିଡିଓ ଶୁଭଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଜେଡି ସମର୍ôଥତ ପ୍ରାର୍ଥିନୀ ମମତା ସାମଲ ୨୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥି ପ୍ରଫୁଲ ସାମଲ ୧୩୨୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ପ୍ରକାଶ ଥାଉକି ବରୀ ବିଧାୟିକା ସୁନନ୍ଦା ଦାସ ୨୦୧୭ ମସିହାରେ ଏହି ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବଚିତ ହୋଇ ବରୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ ।୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ନେଇ ସୁନନ୍ଦା ବରୀ ବିଧାନ ସଭା ଆସନରୁ ବିଜୟ ହୋଇ ବିଧାୟିକା ହୋଇଛନ୍ତି । ଏଥିପାଇଁ ଅଙ୍ଗାଳୋ ପଂଚାୟତର ସମିତି ସଭ୍ୟ ପଦବୀ ଖାଲି ପଡିଥିଲା । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।