ଧର୍ମଗଡ଼: ୨୭ /୧୧ :ସରକାର ଗମନାଗମନ ପାଇଁ ପକ୍କା ରାସ୍ତା ନିର୍ମାଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ବିଧାୟକ ତଥା ମନ୍ତ୍ରୀ ଏବଂ ପ୍ରଶାସନିକ ଅବହେଳା ପାଇଁ ଆଣ୍ଠୁଏ ଖାଲଖମାରେ ଭର୍ତି ରାସ୍ତାରେ ଯାତାୟତ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ଏବଂ ସ୍ଥାନୀୟ ଗ୍ରାମବାସୀ ।
ଖଇରପଦର ଗ୍ରାମପଂଚାୟତ ଠାରୁ କନ୍ତେର ଏବଂ ଜୁନାଗଡ ନିର୍ବାଚନ ମଣ୍ଡଳୀର ମଇଭର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତାର ଅବସ୍ଥା କହିଲେ ନସରେ କିଭଳି ଖାଲଖମାରେ ଭର୍ତି ହୋଇଛି । ଏହି ରାସ୍ତାରେ ଚାରି ଚକିଆରେ ଯିବା ତ ଦୁରର କଥା ଦୁଇ ଚକିଆରେ ଯାତାୟତ କରିବା ମଧ୍ୟ କଷ୍ଟକର । ଏହି ରାସ୍ତାରେ ଖଇରପଦର ତଥା କନ୍ତେର ଏବଂ ମଇଭର ଅଂଚଳର ଶହ ଶହ ଚାଷ ଜମି ରହିବା ସହିତ ସ୍ମଶାନ ଭୁଇଁ ମଧ୍ୟ ରହିଛି । ତେବେ ଖରା ଦିନରେ ଯାତାୟତ ହେଇପାରୁଥିବା ବେଳେ ବର୍ଷା ଦିନରେ ରାସ୍ତାର ଅବସ୍ଥା ନକହିବା ଭଲ ।
ଏହି ରାସ୍ତାର ପୁନଃରୁଦ୍ଧାର ପାଇଁ ଅନେକ ସମୟରେ ସ୍ଥାନୀୟ ବିଡିଓ, ତହସିଲଦାର, ଉପଜିଲ୍ଲାପାଳ ଏମିତିକି ମନ୍ତ୍ରୀ ଥିବା ସମୟରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଡକାଯାଇ ରାସ୍ତା ବିଷୟରେ ଅବଗତ କରାଯାଇଛି ହେଲେ ଫଳ ଶୂନ । ତେବେ ଏମିତି ବିପଦ ରାସ୍ତାରେ ଯାତାୟତ କରୁଥିବା ଗ୍ରାମବାସୀ ଆଗାମୀ ଦିନରେ ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ରାସ୍ତାଟି ଜୁନାଗଡ ନିର୍ବାଚନ ମଣ୍ଡଳୀର ମଇଭରକୁ ସଂଯୋଗ କରୁଥିବା ବେଳେ ରାସ୍ତାରେ ଏକ ଛୋଟ ନଦୀ ରହିଛି ।
ତେବେ ଏହି ରାସ୍ତାରେ ଗମନଗମନର ସୁବିଧା ସକାଶେ ତତ୍କାଳୀନ କଳାହାଣ୍ଡି ସାଂସଦ ସ୍ୱର୍ଗତ ବିକ୍ରମ କେଶରି ଦେଓ ନଦୀରେ ପୋଲ ନିର୍ମାଣ ପାଇଁ ଟଙ୍କା ଦେଇଥିଲେ । ହେଲେ ଦିଆଯାଇଥିବା ଟଙ୍କା ପୋଲ ନିର୍ମାଣ ପାଇଁ ନିଅଂଟ ହେବାରୁ ଖଇରପଦର ରୁ ମଇଭରକୁ ସଂଯୋଗ କରୁଥିବା ରାସ୍ତାରେ ପୋଲଟି ଅସମ୍ପୁର୍ଣ୍ଣ ହୋଇ ଦୀର୍ଘ ୨୫ ବର୍ଷ ହେବ ପଡି ରହିଛି । ତେବେ ବିକାଶର ଡିଙ୍ଗୁରା ପିଟୁଥିବା ନବୀନ ସରକାର ଦୀର୍ଘ ୨୫ ବର୍ଷ ଶାସନରେ ପୋଲ ନିର୍ମାଣ କରିପାରିନାହିଁ ବୋଲି ଗ୍ରାମବାସୀ କହିଥିବା ବେଳେ ମନରେଗା ଯୋଜନାରେ ରାସ୍ତା କାମ କେମିତି ଶିଘ୍ର ହେବ ସେଥିପାଇଁ ଚେଷ୍ଟା କରାଯିବ ଏବଂ ବି,ଡି,ଓ ଙ୍କୁ ଅବଗତ କରାଯାଇ ପୋଲ କାମ ପାଇଁ କେମିତି ଶିଘ୍ର ହେବ ସେଥିପାଇଁ ଚେଷ୍ଟା କରାଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ