ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଘପାଲିରେ ବାଘ ଶିକାର ଘଟଣା ରେ ୩ ଜଣ ଅଟକ। ମିଳୁନି ବାଘ ନଖ, ଉଲୁଣ୍ଡା ବନାଂଚଳ ପିପଲକଟା ବିଟ୍ ବାଘପାଲି ଗ୍ରାମ ନିକଟ ଚନ୍ଦଲି ଜଙ୍ଗଲରୁ ଗତ 13 ତାରିଖରେ ଏକ କଲରାପତରିଆ ବାଘର ଗଳିତ ମୃତ ଦେହ ଉଦ୍ଧାର କରାଯାଇ ଥିଲା l ତେବେ ବିଦ୍ୟୁତ ଫାଶ ପକାଇ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା l ଅନ୍ୟପଟେ ବାଘ ଶିକାର ପରେ ଦୁର୍ବୃତ ମାନେ ମଲା ବାଘର ପଞ୍ଝା, ନଖ ଏବଂ ନିଶ କାଟି ନେଇଥିବା ଦେଖାଯାଇଥିଲା l
ଏହି ଅଭିଯୋଗରେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମିଳିଥିବା ସୂଚନା ଅନୁଯାୟୀ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡିଛି l ବାଘଟିର ମୃତଦେହ ଉଦ୍ଧାର ହେବାର ତିନି ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ ଖୋଦ ନିର୍ଦ୍ଦିଷ୍ଟ ଅଭିଯୁକ୍ତ କୁ ଧରିବାରେ ଫେଲ ମାରିଛି । ତେବେ ବାଘର ମୃତଦେହ ସଢି ଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ବାଘଟି ପ୍ରାୟ ୪ ବର୍ଷର ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଛନ୍ତି ।
ଏଥିସହ ପ୍ରାୟ ୫ ଦିନ ପୂର୍ବରୁ ବାଘଟିର ଶିକାର ହୋଇଥିବା ନେଇ ଉଲୁଣ୍ଡା ପ୍ରାଣି ଚିକିତ୍ସକ ସୂଚନା ଦେଇଛନ୍ତି l ପ୍ରଶ୍ନ ଉଠୁଛି ଯେ ଜଙ୍ଗଲ ଭିତରେ ଦୀର୍ଘ ୫ ଦିନ ଧରି ବାଘଟିର ମୃତଦେହ ପଡିରହିଥିବା ବେଳେ ବନ ବିଭାଗ କିପରି ଏହାର ସୁରାକ ପାଇବାରେ ବିଫଳ ହୋଇଛନ୍ତି l ଏବେ ବନ କର୍ମଚାରୀଙ୍କ କର୍ତବ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଜ କର୍ତବ୍ୟରେ ଅବହେଳା ଯୋଗୁଁ ବାଘଟିକୁ ହତ୍ୟା କଲା ପରେ ପଞ୍ଝା, ନଖ ଏବଂ ନିଶ କାଟି ନେବାରେ ଦୁର୍ବୃତ ସକ୍ଷମ ହୋଇଥିଲେ । ବାଘ ମୃତ୍ୟୁର ଘଟଣାସ୍ଥଳରେ ନିୟମିତ ବିଦ୍ୟୁତ ଫାଶ ପକାଇ ବରହା ଏବଂ ଜଙ୍ଗଲୀ ଜନ୍ତୁ ଶିକାର କରାଯାଉଥିଲା । ସ୍ଥାନୀୟ ଲୋକ ଏନେଇ ଅଭିଯୋଗ କରୁଥିବା ବେଳେ ବନ ବିଭାଗର ଅପାରଗତା ଖାମଖିଆଳି ମୋନଭାବ କୁ ଦାୟୀ କରିଛନ୍ତି ସ୍ଥାନୀୟ ଜନ ସାଧାରଣ ।