ଅନୁଗୋଳ – (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ଶୌଚ ହେବାକୁ ଗାଁ ମୁଣ୍ଡକୁ ଯାଇଥିବାବେଳେ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଅନ୍ତୁଳିଆ , ଦଳବେହେରା ସାହିର ଚିତ ରଞ୍ଜନ ଦଳ ବେହେରା ଆଜି ସକାଳେ ଜଙ୍ଗଲ ନିକଟସ୍ଥ ତାଙ୍କ ଗାଁ ମୁଣ୍ଡକୁ ଶୌଚ ହେବା ପାଇଁ ଯାଇଥିଲେ । ଏତିକିବେଳେ ହଠାତ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା ।
ବାଘ ଆକ୍ରମଣ ଫଳରେ ଚିତ ରଞ୍ଜନଙ୍କ ମୁଣ୍ଡ , ଛାତି ଓ ବାମ ହାତରେ ଗଭୀର ଆଘାତ ଲାଗିଥିଲା । ସେ ସେଠାରେ ପଡି ଯାଇଥିବା ବେଳେ ଚିତ୍କାର ଶୁଣି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଚିତ ରଞ୍ଜନଙ୍କୁ ଉଦ୍ଧାର କରା ଯାଇଥିବା ସ୍ଥାନରେ ବାଘର ପାଦଚିହ୍ନ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହା କଲରାପତରିଆ ବାଘ ବୋଲି ସନ୍ଦେହ କରା ଯାଉଛି । ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ ।