କେନ୍ଦୁଝର,୨୩/୯ସଦର ବ୍ଲକ୍ ଅନ୍ତର୍ଗତ ପର୍ଜନପୁର ଗ୍ରାମପଞ୍ଚାୟତର ନଈଗାଁ ଗ୍ରାମରେ ଖୁଦୁରୁକୁଣୀ ଓଷା ମହାଆଡମ୍ବର ସହକାରେ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଦୀର୍ଘ ଦୁଇ ସପ୍ତାହ ଧରି ମା’ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତିକୁ ଏକ ଘରେ ସ୍ଥାପନା କରାଯାଇ ପ୍ରତ୍ୟହ ସକାଳେ ଏବଂ ସନ୍ଧ୍ୟାରେ ଗ୍ରାମର ଝିଅ ବୋହୁମାନେ ଆଳତୀ ଜାଳି ମା’ଙ୍କ ବନ୍ଦନା ଗାନ କରିଥିଲେ । ରବିବାର ସନ୍ଧ୍ୟାରେ ମା’ଙ୍କୁ ବିଧି ଅନୁସାରେ ପୂଜାପାଠ କରାଯାଇଥିଲା । ବ୍ରତାଧାରୀମାନେ ଖୁଦୁରୁକୁଣୀ ଓଷା ଗୀତ ଗାନ କରି ମା’ଙ୍କ ଆଶିଷ ନେଇଥିଲେ । ଦୀର୍ଘ ବର୍ଷରୁ ପାଳିତ ହୋଇଆସୁଥିବା ନଇଗାଁ ଗ୍ରାମର ଖୁଦୁରୁକୁଣୀ ଓଷାର ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ରତା ରହିଥିବାରୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥାଏ ।ଚଳିତ ବର୍ଷ ମଧ୍ୟ ନାହିଁନଥିବା ଭିଡ଼ ହୋଇଥିଲା । ସୋମବାର ଦିନ ମା’ଙ୍କୁ ଶେଷ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଅପରାହ୍ନରେ ବାଜା ବାଣ ରୋଷଣୀର ଏକ ବିରାଟ ପଟୁଆର ଗ୍ରାମ ପରିକ୍ରମା ପୂର୍ବକ ମା’ ମୃଣ୍ମୟୀ ମୂର୍ତ୍ତିକୁ ନିକଟସ୍ଥ ଜଗଦଳା ନଦୀରେ ବିସର୍ଜନ କରାଯାଇଥିଲା । ଚଳିତ ବର୍ଷର ଖୁଦୁରୁକୁଣୀ ଓଷା ପୂର୍ବବର୍ଷ ଠାରୁ ଅଧିକ ଆକର୍ଷଣୀୟ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ମହିଳା ଦଳ ନିମନ୍ତ୍ରିତ ହୋଇ ଆସିଥିଲେ । ପୂଜକ ବେନୁଧର ନାୟକ ଉକ୍ତ ଓଷାରେ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଗ୍ରାମର ଯାଜ୍ଞସେନୀ ନାୟକ, ସୁନୀତା ମହାନ୍ତ, ସସ୍ମିତା ମହାନ୍ତ,ପଙ୍କଜିନି ମହାନ୍ତ,ଛାୟାଶ୍ରୀ ମହାନ୍ତ,ରଶ୍ମିତା ନାୟକ, ଗୌତ୍ତମୀ ନାୟକ,ବିନତି ନାୟକ,ଭାରତୀ ନାୟକ, ମୀନାରାଣୀ ମହାନ୍ତ,ମୈତ୍ରୀ ନାୟକଙ୍କ ସମେତ ଗ୍ରାମର ସମସ୍ତ ଝିଅବୋହୁ ମାନେ ମିଳିମିଶି ମା’ଙ୍କ ପୂଜାକାର୍ଯ୍ୟକୁ ସଫଳତାର ସହ ଆୟୋଜନ କରିଥିଲେ ।
