ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜନ

218 0

ରୋଡସ୍ ଆଇଲ୍ୟାଣ୍ଡ:(ବ୍ୟୁରୋ) ତା ୦୫.୦୭ ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳେ ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରଠାରେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ଚାରିଦିଅଁଙ୍କ ସମ୍ମୁଖରେ ପୂଜାର୍ଚ୍ଚନା ଓ ନିତିକାନ୍ତି ସମ୍ପନ୍ନ କରାଯାଇଥିଲା।

ରଥଯାତ୍ରା ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ ଭକ୍ତଗଣଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ ଓ ଅନନ୍ୟ ଉଦ୍ଦୀପନା ପରିଲିକ୍ଷିତ କରାଯାଇଥିଲା। ଏହି ଦ୍ଵୀପାଞ୍ଚଳରେ ଘୋଷଯାତ୍ରା ଦିନ ବର୍ଷା ଓ ଘଡଘଡି ହେବାର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ବିଶ୍ଵବ୍ରହ୍ମାଣ୍ଡର ନିଅନ୍ତା ବଡ଼ ଠାକୁରଙ୍କ ଆଶୀର୍ବାଦ ଫଳରେ ଆଶ୍ଚର୍ଯ୍ୟଜନକ ଭାବେ ପାଗ ଖୁବ୍ ଭଲ ଥିବା ଦେଖାଯାଇଥିଲା।

ଫଳସ୍ୱରୁପ ଏହି ଉତ୍ସବରେ ରୋଡସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁ ମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିଉଜର୍ସି, ନିଉୟର୍କ, କନେକ୍ଟିକଟ, ମାସାଚିଉଟସ ଓ ନିଉହାମ୍ପସାୟାର ଆଦି ସ୍ଥାନରୁ ତିନିଶହରୁ ଉର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ପରିବାରମାନେ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା। ମଧ୍ୟାହ୍ନ ବାରଟା ସମୟରେ ଭଜନ କୀର୍ତ୍ତନର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ତଥା ଶଙ୍ଖ, ଘଣ୍ଟ, କରତାଲ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ସ୍ବର ଦ୍ଵାରା ଗଗନ ପବନ ପ୍ରକମ୍ପନ ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ଓ ରୋଷଣୀ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତମାନେ ନଚାଇ ନଚାଇ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନରେ ଆସୀନ କରାଇଥିଲେ।

ରଥଟିକୁ ସାଜସଜ୍ଜା କରିବାରେ ବିଶ୍ଵ ପଟ୍ଟନାୟକ, ଦିଗବିଜୟ ମହାପାତ୍ର, ଲିନା ରାଉତରାୟ, ସୌରଭ ମିଶ୍ର, ଶୁଭ୍ରାଂଶୁ ମହାନ୍ତି, ସରୋଜ ବେହେରା, ପଙ୍କଜ ପଣ୍ଡା ଓ ପ୍ରିତମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଫୁଲ ସଜାଇବାରେ ଶ୍ରଦ୍ଧା ନାୟକ, ପ୍ରଜ୍ଞା ବେହେରା, ରଞ୍ଜିତା ବେହେରା ଓ ଚନ୍ଦ୍ରା ନାୟକ ସାହାଯ୍ୟ କରିଥିଲେ। ହିନ୍ଦୁ ମନ୍ଦିରର ଡାଇରେକ୍ଟରସ୍ ବୋର୍ଡର ବରିଷ୍ଠ ସଦସ୍ୟ ମହେଶ ପଟେଲ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତୀୟ ଐତିହ୍ୟ ପ୍ରତିଷ୍ଠାନର ସଦାନନ୍ଦ ଦାସ, ତାଙ୍କର ଇସ୍କନ ସହଯୋଗୀ ମାନଙ୍କ ସହିତ ଯୋଗ ଦେଇଥିଲେ। ଅପରାହ୍ନ ୧ଟା ବେଳେ ରଥଟଣା ଆରମ୍ଭ କରାଯାଇଥିଲା।

ରଥଟିକୁ ହିନ୍ଦୁ ମନ୍ଦିରର ଚର୍ତୁପାର୍ଶ୍ଵ ରେ ବୁଲାଇ ପୁଣି ମନ୍ଦିର ବେଢ଼ାକୁ ଅଣାଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତ ଆଗନ୍ତୁକଙ୍କୁ ପୁରୀ ଆନନ୍ଦବଜାର ଶୈଳୀରେ ପ୍ରସ୍ତୁତ ମହାପ୍ରସାଦ ଅର୍ପଣ କରାଯାଇଥିଲା। ପ୍ରସାଦ ପ୍ରସ୍ତୁତ କରିବାରେ ବବିତା ମହାନ୍ତି, ମୁନମୁନ ଦାସ, ବିଷ୍ଣୁପ୍ରିୟା ବଳ, ତପନ୍ଵିତା ରାଉତରାୟ, ସୌମ୍ୟଶ୍ରୀ ଦାଶ, କଳ୍ପନା ମହାନ୍ତି ଏବଂ ମଣି ମହାପାତ୍ର ପ୍ରମୁଖ ସେମାନଙ୍କର ସିଦ୍ଧହସ୍ତର ଚାତୁର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଳ ସାଢେ଼ ୧୦ଟା ବେଳେ ଆରମ୍ଭ ହୋଇଥିଲା। ବିଶେଷ ଆକର୍ଷଣ ମଧ୍ୟରେ ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ଏବଂ ସୁମଧୁର ଭଜନ ପରିବେଷଣ ଅର୍ନ୍ତଭୁକ୍ତଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଉପସ୍ଥାପନା ଓ ସଂଯୋଜନା, ଆକାଂକ୍ଷା ପଟ୍ଟନାୟକ ଓ ଲୀଜାଲିନ ମିଶ୍ର କରିଥିଲେ।

ରଥଯାତ୍ରା ସମୟରେ ଇସ୍କନ ମନ୍ଦିରର ସଦସ୍ୟମାନଙ୍କ ଦ୍ଵାରା ପରିବେଷିତ ମର୍ମସ୍ପର୍ଶୀ କୀର୍ତ୍ତନ ଶ୍ରୋତା ମାନଙ୍କୁ ଅଭିଭୂତ କରିଦେଇଥିଲା। ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ ‘ରୋଡ଼ସ୍ ଆଇଲ୍ୟାଣ୍ଡରେ ରଥଯାତ୍ରାର ଇତିବୃତ୍ତ’ ଶୀର୍ଷକ ପୁସ୍ତକ ଏବଂ ଏଠାରେ ରଥଯାତ୍ରାର ପ୍ରଧାନ ଉଦ୍ୟୋକ୍ତା ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ଲିଖିତ ‘ଅପରିସୀମ ଶ୍ରୀ ଜଗନ୍ନାଥ’ ଶୀର୍ଷକ ପ୍ରବନ୍ଧକୁ ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଉପରେ ବିରାଜମାନ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ମୁଖ୍ୟ ଆୟୋଜକ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ପୂର୍ବତନ ସଭାପତି ଦେବଦତ୍ତ ବେହେରା ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

Related Post

ଏହା ଦେଶର କୃଷି କ୍ଷେତ୍ରକୁ ବଦଳାଇବାର ଏକ ରୋଡମ୍ୟାପ: ବଜେଟକୁ କହିଲେ ମୋଦି

Posted by - July 6, 2019 0
ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି…

ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ, ୱାକଆଉଟ୍ କଲା ବିଜେପି

Posted by - November 30, 2019 0
ମୁମ୍ବାଇ ୩୦।୧୧ : ମହାରାଷ୍ଟ୍ର ବିଧାନସଭାରେ ଶନିବାର ‘ମହାରାଷ୍ଟ୍ର ବିକାଶ ଅଗାଢି’ ନେତା ଉଦ୍ଧବ ଠାକରେ ତାଙ୍କର ବହୁମତ ସାବ୍ୟସ୍ତ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଉଦ୍ଧବଙ୍କୁ…

ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା,ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ’

Posted by - February 27, 2019 306
ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।…

ଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

Posted by - July 13, 2022 0
ଅହମଦାବାଦ: ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ…

ବିଶାଖାପାଟଣାଠାରେ ମହାସମାରୋହରେ ରଥଯାତ୍ରା ଆୟୋଜନ

Posted by - June 21, 2023 0
ବିଶାଖାପାଟଣା:୨୧/୦୬ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା…