ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ଆଭିମୁଖ୍ୟକୁ ସୋଶାଲ୍ ମିଡିଆରେ ଜୋର୍ଦାର ପ୍ରଚାର ପ୍ରସାର କରିବା ଲାଗି ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇଟି ସେଲ୍ ଗଠନ କରାଯାଇଛି । ପୂର୍ବତନ ପ୍ରଶାସକ ଡ. ଅମର ପଟ୍ଟନାୟକଙ୍କୁ ଏହାର ମୁଖ୍ୟ ଦାୟିତ୍ୱ ଦିଆଯିବା ପରେ ଏହି ସେଲ୍କୁ ଏକ ନୂଆ ରୂପ ଦିଆଯାଇଛି । ସୋଶାଲ୍ ମିଡିଆ ସମ୍ପର୍କରେ ଅଭିଜ୍ଞ କର୍ମୀଙ୍କୁ ଏହି ସେଲ୍ର ସଦସ୍ୟଭାବେ ଗ୍ରହଣ କରାଯାଇ ଦଳକୁ ଅଧିକ ମଜଭୁତ କରିବା ପାଇଁ କାର୍ଯ୍ୟକ୍ରମ ରୂପାୟନ କରାଯାଉଛି ।
ଏହିକ୍ରମରେ ବିଜେଡି ସୁପ୍ମୁରିମୋ ତଥା ମୁଖ୍ୟମନ୍ତ୍ରୀ ଆଇଟି ସାମ୍ମୁଖ୍ୟର ସଭ୍ୟମାନଙ୍କୁ ସୋସିଆଲ୍ ମିଡିଆରେ ଦଳର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଆଇଟି ସେଲ୍ ମାଧ୍ୟମରେ ସାଧାରଣ ଜନତାଙ୍କ କିଭଳି ନିକଟତର ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସେ କହିଥିଲେ ।
ବିଜୁ ଯୁବ ଜନତା ଦଳର ଆଇଟି ଵିଙ୍ଗର ରାଜ୍ୟ ସଂଯୋଜକ ଭାବେ ୫ ଜଣଙ୍କୁ ମନୋନୀତ କରାଯାଇଛି । ଦଳର ରାଜ୍ୟ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡିର ରାଜ୍ୟ ଆଇଟି ସଂଯୋଜକ ଭାବେ ହରିଶ ଚନ୍ଦ୍ର ଚୌଧୁରୀ, ଯୁବ ବିଜେଡିର ରାଜ୍ୟ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ସଙ୍କେତ ରାୟ, ଦୁଷ୍ମନ୍ତ ବେହେରା ଓ ଶ୍ରୀଜା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଛନ୍ତି ।