ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ଆଜିର ଦିନକୁ ବାବାଙ୍କ ସ୍ୱନକ୍ଷତ୍ର ଦିବସ ଭାବେ ପାଳନ କରାଯାଏ । ଏଥିପାଇଁ ବର୍ଷ ତମାମ ପାଣିରେ ରହୁଥିବା ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ହୋଇଥାଏ ।
ମନ୍ଦୀର ପରିସରରୁ ପାଣିକୁ ଭୋର ୪ଟାରୁ ନିସ୍କାସନ କରିବା ପରେ ବଡ ସିଂହାର ବେଶ କରାଯାଇଥିଲା । ପରେ ବାବା ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତି ପ୍ରମିଳା ମଲ୍ଲିକ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ମନ୍ଦୀରଟି ସୋମ ବଂଶ କାଳରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ଏବଂ ମନ୍ଦୀର ପରିସରରେ ରହିଥିବା ବରୁଣ ବୃକ୍ଷକୁ ପ୍ରଭୁ ବରୁଣେଶ୍ୱର ଭାବେ ପୂଜା କରାଯାଏ । କାରଣ ଏହି ବୃକ୍ଷଟିର କୌଣସି କ୍ଷୟ ନାହିଁ କିମ୍ବା ବୃଦ୍ଧି ନାହିଁ ।
ସେଥିପାଇଁ ମକର ସଂକ୍ରାନ୍ତିରେ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବାର ବିଶ୍ୱାସ ରହିଛି । ସେହିପରି ଆଜି ଠାରୁ ଏହି ପୀଠରେ ୭ ଦିନ ଧରି ମେଳାର ମଧ୍ୟ ଆୟୋଜନ ହେଉଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିି ।