ମୁନିଗୁଡା:୬।୧୦(ରମାକାନ୍ତ ପୋଡାଲ )ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ସାଇବର କ୍ରାଇମ ସଚେତନ ରଥକୁ ଅମ୍ବଦଳା ଥାନା ଅଧିକାରୀ କାର୍ତ୍ତିକ ନାୟକଙ୍କ ଅଧ୍ୟକ୍ଷତାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସାଇବର କ୍ରାଇମ୍ ସଚେତନତା ରଥକୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସଚେତନ ରଥକୁ ପଦଯାତ୍ରାରେ ବିଦ୍ୟାଳୟ ପରିସରରେ ପରିକ୍ରମା କରାଯାଇଥିଲା। ପରେ ସଚେତନ ରଥକୁ ସ୍ଥାନୀୟ ଡ୍ରାଇଭର ମହାସଂର ସଦସ୍ୟ, ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାମନ୍ତ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତା ଦୁଇ ପାର୍ଶ୍ଵରେ ଠିଆ ହୋଇ ଭବ୍ୟ ସ୍ବାଗତ ଜଣାଇଥିଲେ ।
ଏହାପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଯୋଗ ଦେଇ କୌଣସି କାଗଜ କିମ୍ବା ଡାଇରୀରେ ୟୁଜର ଆଇଡି ବା ପାସୱାର୍ଡ ଲେଖନ୍ତୁ ନାହିଁ, ବ୍ୟକ୍ତିଗତ ଫଟୋ କିମ୍ବା ତଥ୍ୟ ସେୟାର କରିବା ପୂର୍ବରୁ ସଚେତନ ରୁହନ୍ତୁ, ଇ ମେଲ୍ ଅଫର୍ ପ୍ରତି ସତର୍କ ରୁହନ୍ତୁ, ଅଫର୍ ଯୁକ୍ତ ମେଲ୍ କିମ୍ଵା ମେସେଜର ଉତ୍ତର ଦିଅନ୍ତୁ ନାହିଁ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅମ୍ବାଦଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର, ସାମନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ କବିରାଜ ପ୍ରଧାନ, ବଜାର ବଣିକ ସଂଘ ସଭାପତି ସନ୍ତୋଷ ପାତ୍ର, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟ ରଞ୍ଜନ ସାମନ୍ତ ରାୟ ମଞ୍ଚାସିନ ରହି କଠିନ ପାସୱାର୍ଡ ବ୍ୟବହାର କରିବା, ନିଜର ପାସୱାର୍ଡ କାହାକୁ ଦେବାନାହିଁ, ୱେବ ବ୍ରାଉଜରରେ ପାସୱାର୍ଡ ସେଭ୍ କରନ୍ତୁ ନାହିଁ, ଉକ୍ତ ସମୟରେ ନିଜର ସାଧାରଣ ଜ୍ଞାନ ବ୍ୟବହାର କରନ୍ତୁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଅଭିଭାବକ,ଏବଂ ସାଧାରଣ ଜନସାଧାରଣଙ୍କୁ ଅବଗତ କରାଇବା ସହ ଯଦି ସାଇବର ଠକେଇ ହେଲେ ତୁରନ୍ତ ଏକ ଘଣ୍ଟା ସମୟରେ ୧୯୩୦ କୁ ଫୋନ କଲେ ଟଙ୍କା ଫେରି ପାଇବାର ଯଥେଷ୍ଟ ସମ୍ଭାବନା ଥାଏ ।
ସାରା ଓଡ଼ିଶାରେ ଗତବର୍ଷ ତୁଳନାରେ ୧୨୮ ପ୍ରତିଶତ ଅଧିକା ସାଇବର ଅପରାଧ ଘଟିଛି ବୋଲି ସୂଚନା ଦେଇଥିଲେ।ବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ସାଇବର କ୍ରାଇମ ବିଷୟକୁ ନେଇ ନୃତ୍ୟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ନେଇ ଗୁଇନ୍ଦା ଦଳ, ଧୁରନ୍ଦର୍ ଦଳ, ହୁସିଆର ଦଳ, ସଚେତନତା ଦଳ ଚାରୋଟି ଦଳ ଗଠନ କରିବା ସହ କିଛି ସାଇବର କ୍ରାଇମ ବିଷୟରେ ପ୍ରଶ୍ନ ପଚାରିଯାଇଥିଲା। ଏଥିରେ ଯେଉଁ ଛାତ୍ରୀମାନେ ସଠିକ ଉତ୍ତର ଦେଇଥିଲେ । ସେମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁନିଗୁଡା ଥାନା ଏସଆଇ ମନୋରଞ୍ଜନ ବିଶ୍ଵାଳ ପରିଚାଳନା କରିଥିବା ବେଳେ ଅମ୍ବାଦଳା ଥାନା ଆଇଆଇସି କାର୍ତ୍ତିକ ନାୟକଙ୍କ ସହ ଏସଆଇ ଉର୍ମିଳା ସେଠୀ, ଏସଆଇ ରାମ ଶଙ୍କର ବାଗ, ଏ.ଏସ.ଆଇ ଅନିଲ କୁମାର ବୋହିଦାର, ଏ. ଏସ. ଆଇ ପ୍ରଶାନ୍ତ ପାଢ଼ୀଙ୍କ ସମେତ ସ୍ଥାନୀୟ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।