ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଟେବୁଲ ଟପ୍ ଏଳ୍ସସାଇଜ ଏବଂ ମକଡ୍ରିଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପ୍ରସ୍ତୁତି ବୈଠକର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ବିପର୍ଯ୍ୟୟ ମୁକାବିଲାର ବିଭିନ୍ନ ଦିଗ ଉପରେ ବିଷଦ ଆଲୋଚନା କରିଥିଲେ । ବୈଠଳର ନିଷ୍ପତି ପ୍ରକାରେ ଆସନ୍ତା ୧୮ ତାରିଖ ଦିନ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସକାଳ ୧୦ ଘଟିକାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ଅପରାହ୍ନ ୨ ଘଟିକା ଠାରୁ ୪ ଘଟିକା ପର୍ଯ୍ୟନ୍ତ ଟେବୁଲ ଟପ୍ ପ୍ରକ୍ରିୟା ଅନୁଷ୍ଠିତ ହେବ ।
ଏହି ପ୍ରକ୍ରିୟା ଅନୁଯାୟୀ ୫ ଟି ଗୃପକୁ ନେଇ ୫ ଗୋଟି ଟେବୁଲରେ ଜଣେ ରେଭେନ୍ୟୁ ଅଧିକାରୀ,ଜଣେ ପୁଲିସ ଅଧିକାରୀ,ବିଦ୍ୟୁତ ବିଭାଗ,ଜଳସେଚନ,ଅଗ୍ନିଶମ,ଓଡ୍ରାଫ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ବନ୍ୟା ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହୋଇଥିବା ପୂର୍ବ ପ୍ରସ୍ତୁତି ଓ ପ୍ରଶମନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ବନ୍ୟାଜନିତ ବିପର୍ଯ୍ୟୟ,ଉଦ୍ଧାର କାର୍ଯ୍ୟ,ପାନୀୟଜଳ,ଶୁଖିଲା ଖାଦ୍ୟ ଆଦି ମହଜୁଦ ରଖିବା ସହିତ ବନ୍ୟା ସମୟରେ ଉଦ୍ଧାର କାର୍ଯର୍୍ୟରେ ପ୍ରସୂତୀ ମହିଳା,ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏନଏସି ଓ ପ୍ରତ୍ୟେକ ବ୍ଲକସ୍ତରରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ଏଥିପାଇଁ ନିୟୋଜିତ ହେବେ । ଏଥିସହିତ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ସମସ୍ତ ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀ କୁଲତାଜୋର,ବହିରା,ଘଣ୍ଟାପଡା ଓ ଧର୍ମନଗରରେ ଆସ୍କାଲାଇଟ, ଜେନସେଟ ଅଗ୍ନିଶମ ନିର୍ବାପକ ଯନ୍ତ୍ର ଆଦି ପ୍ରସ୍ତୁତି ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୧୯ ତାରିଖରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ମକ୍ଡ୍ରିଲ ଅନୁଷ୍ଠିତ ହେବ ।
ବନ୍ୟାରେ ଅତ୍ୟଧିକ କ୍ଷୟକ୍ଷତି ଆକଳନ,ଆବଶ୍ୟକତା ଏବଂ ଚେକ୍ ଲିଷ୍ଟ ପ୍ରସ୍ତୁତି ସହ ସମସ୍ତେ ସାମୁହିକ ଭାବରେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଆଭାସି ବୈଠକରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଶ ଚନ୍ଦ୍ର ସାମଲ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଂଜୟ କୁମାର ଝା,ଇ ଗଭର୍ଣ୍ଣାନସ ମ୍ୟାନେଜର ସମୀର କୁମାର ନାଏକ ଉପସ୍ଥିତ ଥିବାବେଳେ ବ୍ଲକସ୍ତରରେ ସମସ୍ତ ବିଡିଓ,ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଆଭାସି ମାଧ୍ୟମରେ ଜୋଡି ହୋଇଥିଲେ ।