ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଟାଉନହଲ୍ ଠାରେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଦସ୍ୟଙ୍କ ସମେତ ଅନୁବନ୍ଧିତ କ୍ଲବ ସମୁହ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।
ଡିସିଏର ଉପ-ସଭାପତି ଲମ୍ବୋଦର ପୁରୋହିତ, କୋଷାଧ୍ୟକ୍ଷ ଭବେଶ କୁମାର ଯୋଶୀ ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିବାସହ ଉପସ୍ଥିତ ସଭ୍ୟମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲେ । ବିଗତ ବର୍ଷ ଗୁଡିକର ଅଡିଟ୍ ରିପୋର୍ଟ ସମେତ ଆଗାମୀ କ୍ରୀଡାବର୍ଷର ବଜେଟ୍ ବୈଠକରେ ଉପସ୍ଥାପନ ହେବାସହ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଜିଲ୍ଲା କ୍ରିକେଟ ଟିମ୍ର କୋଚ୍ ହେମନ୍ତ ଚଂପତ୍ତି ଜିଲ୍ଲା କ୍ରିକେଟର ସ୍ଥିତି, ଖେଳାଳୀଙ୍କ ଆବଶ୍ୟକତା ଏବଂ ପ୍ରଦର୍ଶନ ସଂପର୍କରେ ବୈଠକରେ ସୂଚନା ଦେଇଥିଲେ । ଗତ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଓ କ୍ରିକେଟ କୋଚିଂ କ୍ୟାଂପ୍କୁ ବୈଠକରେ ପ୍ରଶଂସା କରାଯିବାସହ ଚଳିତବର୍ଷ ମଧ୍ୟ ଆୟୋଜନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ କୋଚିଂ କ୍ୟାଂପ୍ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ଜିଲ୍ଲା ମୁଖ୍ୟାଳୟସ୍ଥିତ ସରକାରୀ ଷ୍ଟାଡିୟମରେ ଏକ ଟର୍ଫ ୱିକେଟ ନିର୍ମାଣ କରାଗଲେ ଜିଲ୍ଲାର ଖେଳାଳୀମାନେ ଉପକୃତ ହୋଇପାରିବେ ବୋଲି ସଭ୍ୟମାନେ ମତ ଦେବାସହ ଅନ୍ୟାନ୍ୟ ଖେଳପରି ଷ୍ଟାଡିୟମରେ କ୍ରିକେଟକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଅନେକ ପୂର୍ବତନ କ୍ରିକେଟ ଖେଳାଳୀ ସଭ୍ୟ ଦାବି ଜଣାଇଥିଲେ । ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଷ୍ଟାଡିୟମରେ ଟର୍ଫ ୱିକେଟ ନିର୍ମାଣ ପାଇଁ ପ୍ରଶାସନକୁ ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ପୁଣିଥରେ ଅନୁରୋଧ କରାଯିବ । ଏହାର ସମସ୍ତ ଖର୍ଚ୍ଚ ଓଡିଶା କ୍ରିକେଟ ଆସୋସିଏସନ ବହନ କରିବାକୁ ରାଜିଥିବାରୁ କାହିଁକି ଷ୍ଟାଡିୟମରେ ଟର୍ଫ ୱିକେଟ ନିର୍ମାଣ ପାଇଁ ଅନୁମତି ମିଳିପାରୁନାହିଁ ବୋଲି କ୍ରିକେଟ କ୍ଲବ ଗୁଡିକ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକରେ ଅନେକ ସାଙ୍ଗଠାନିକ ଓ ଆଇନଗତ ପଦକ୍ଷେପ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଆଶୁତୋଷ ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।