କଳାହାଣ୍ଡି ବ୍ୟୁରୋ :(ନରେନ୍ଦ୍ର ନେଗି)ମରଣଯନ୍ତା ପାଲଟିଛି ଦାବେରୀ ରାମପୁରଗୁମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା, ନିର୍ମାଣର ପାଞ୍ଚ ବର୍ଷ ହେଲା ଥରେ ମଧ୍ୟ ରକ୍ଷଣବେକ୍ଷଣ କି ମରାମତି ହୋଇନି, ଅଧିକାରୀ କି ଠିକାଦାର ଙ୍କ ଦେଖା ନାହିଁ, ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରକ୍ଷଣା ବେକ୍ଷଣ ଓ ମରାମତି ଅର୍ଥ ଆତ୍ମସାତ ଅଭିଯୋଗ ଆଣିଲେ ଗ୍ରାମବାସୀ, ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବୀ ହେଉଛି
କେନ୍ଦ୍ର ଓ ରାଜ୍ୟ ସରକାର ପରିବହନ ଓ ଗମନାଗମନ ର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାରେ ରାସ୍ତା ନିର୍ମାଣ କରାଯାଉଛି l ଏହି ରାସ୍ତା ନିର୍ମାଣର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଗାଁ ଗଣ୍ଡା ରାସ୍ତାର ଉନ୍ନତି କରଣ କରିବା ସହ ମୁଖ୍ୟ ରାସ୍ତାରେ ସଂଯୋଗ କରିବା ଲକ୍ଷ ରହିଛି l ଏଥିପାଇଁ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଉଛି l
ହେଲେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅବହେଳା ତଥା ଠିକାଦାର ପୋଷା ନୀତି ଆପଣେଇ ନିମ୍ନ ମାନର ରାସ୍ତା ନିର୍ମାଣ କରି ସରକାରୀ ଅର୍ଥ କୁ ଲୁଟପାଟ କରିବା ଉଦ୍ଧେଶ୍ୟ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ଭଳି ନଜରକୁ ଆସୁଛି l ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବେରୀ ଗାଁ ଠାରୁ ରାମପୁରଗୁମା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା l ପ୍ରାୟ ତିନି କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ପାଲଟିଛି ମରଣଯନ୍ତା l ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗୁଡିଏ ବଡ ବଡ଼ ଗର୍ତ୍ତ ହୋଇଯାଇଥିବା ବେଳେ ଲୋକେ ଯିବା ଆସିବା ସମୟରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି l
ପିଚୁ ଗୁଡିକ ରାସ୍ତାରୁ ବାହାରି ପଡ଼ିଲାଣି ଯାହା ଫଳରେ ଲୋକେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘାସ, ଡ଼ାଲ ପତ୍ର କଟାଯାଉନାହିଁ, ପିଚୁ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ସୋଲଡର କରାଯାଉନାହିଁ, ଗର୍ତ୍ତ ଓ ଫାଟ ମରାମତି କରାଯାଉନାହିଁ, କଲଭର୍ଟ କି ପୋଲର ମରାମତି କରାଯାଉନାହିଁ, ରାସ୍ତାରେ ଲାଗିଥିବା କିମି ଖୁଣ୍ଟ ଓ ସାଇନ ବୋର୍ଡ ମରାମତି କି କଲଭର୍ଟ ଓ ପୋଲରେ ଧଳା ରଙ୍ଗ ଆଜକୁ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ଥରେ ମଧ୍ୟ ଲଗାଯାଇନାହିଁ, ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ରାସ୍ତା ନିର୍ମାଣ ଶେଷ ହେବା ପରେ ପରବର୍ତୀ ପାଞ୍ଚ ବର୍ଷ ପାଇଁ ପ୍ରତ୍ୟୋକ ଆର୍ଥିକ ବର୍ଷ ପାଇଁ ରକ୍ଷଣା ବେକ୍ଷଣ ପାଇଁ ବ୍ୟବସ୍ଥା ଥିବା ଅର୍ଥ ଯାଉଛି କୁଆଡେ..? ଆଜକୁ ପାଞ୍ଚ ହେବ ଥରେ ମଧ୍ୟ ରାସ୍ତାର କୌଣସି ପ୍ରକାର ରକ୍ଷଣା ବେକ୍ଷଣ କି ମରାମତି ହୋଇ ନ ଥିବା ରାସ୍ତାର ଅବସ୍ଥା କୁ ଦେଖିଲେ ସହଜେ ଅନୁମେୟ l
ଜଣେ ଅନ୍ଧ ବ୍ୟକ୍ତି ବି ଅନୁମାନ କରି କହିବ କି ଏହି ରାସ୍ତାରେ ଅବସ୍ଥା କଣ l ସୂଚନା ଫଳକର ସୂଚନାନୁସାରେ ଗତ ଆର୍ଥିକ ବର୍ଷ 2017-18ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଆର୍ଥିକ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ତତ୍ୱାବଧାନରେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦାବେରୀ ଠାରୁ ରାମପୁରଗୁମା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପ୍ୟାକେଜ No. OR -24-130/BATCH -III ଅଟକଳ ପରିମାଣ 96.47ଲକ୍ଷ ଅନୁଦାନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ତାରିଖ 02/01/2017 ରେ ଆରମ୍ବ ହୋଇ ଗତ ତାରିଖ 31/08/2018ରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିବା ସୂଚନା ଫଳକରେ ଦର୍ଶା ଯାଇଛି l
ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମୋଟ 2.600କିଲୋମିଟର ରାସ୍ତା ନିର୍ମାଣ ହୋଇଥିବା ବେଳେ ସେଥିମଧ୍ୟରୁ 2.230 କିଲୋମିଟର ପିଚୁ ରାସ୍ତା ଓ 0.370 କିଲୋମିଟର କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ନିର୍ମାଣ ହେବାକୁ ଥିବା ସାତ ଗୋଟି କଲଭର୍ଟ ମଧ୍ୟରୁ ଛଅ ଟି କଲଭର୍ଟ ନିର୍ମାଣ ହୋଇଥିବା ସୂଚନାରୁ ଜଣା ପଡିଛି l ଲୋକଙ୍କ ଗମନା ଗମନ ତଥା ଯିବା ଆସିବା ର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣ ହେଲା ସତ କିନ୍ତୁ ନିମ୍ନ ମାନର କାର୍ଯ୍ୟ ତଥା ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ରାସ୍ତାର ଅବସ୍ଥା ବର୍ତମାନ ମରଣଯନ୍ତା ପାଲଟିଛି l ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି l ଏନେଇ ଦାବେରୀ ଓ ରାମପୁରଗୁମା ଗ୍ରାମବାସୀ ଅନେକ ଥର ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ତଥା ଠିକାଦାର ସେମାନଙ୍କ କଥାକୁ କୌଣସି ଗୁରୁତ୍ୱ ତଥା ଧ୍ୟାନ ଦେଉ ନ ଥିବାରୁ କିଛି ସୁଫଳ ହେଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ସୂଚନା ଫଳକ ରେ ପ୍ରଦତ୍ତ ସୂଚନାନୁସାରେ ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ରାସ୍ତାର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ଥିବା ବେଳେ ଆଜକୁ ପାଞ୍ଚ ବର୍ଷ ହେବ ଉକ୍ତ ରାସ୍ତା ର କୌଣସି ପ୍ରକାର ରକ୍ଷଣା ବେକ୍ଷଣ କି ମରାମତି କରାଯାଇ ନ ଥିବା ଦାବେରୀ ଓ ରାମପୁରଗୁମା ବାସି ଅଭିଯୋଗ କରିଛନ୍ତି l ରକ୍ଷଣା ବେକ୍ଷଣ ଓ ମରାମତି ହୋଇ ନ ଥିବାରୁ ଉକ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି, ଯାହା ଫଳରେ ଲୋକେ ସେହି ରାସ୍ତାରେ ଯିବା ଆସିବାରେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ସୂଚନା ଫଳକ ଅନୁସାରେ ରାସ୍ତା ନିର୍ମାଣର ପାଞ୍ଚ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘାସ, ଡାଳ ପତ୍ର ସଫା କରିବା, ପାଣି କଟାର ଧାରର ପୁନଃ ମରାମତି କରିବା, ପିଚୁ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ସୋଲଡର କରିବା, ରାସ୍ତା ଉପରେ ନିର୍ମିତ ନାଲର ମରାମତି କରିବା, ନିର୍ମିତ ହୋଇଥିବା କଲଭର୍ଟ ଓ ପୋଲର ମରାମତି କରିବା, ନିର୍ମିତ ପୋଲ ଓ କଲଭର୍ଟ ଉପରେ ଧଳା ରଙ୍ଗ ଲଗାଇବା ଓ ରାସ୍ତାର ଲଗାଯାଇଥିବା କିଲୋମିଟର ଖୁଣ୍ଟ ଓ ସାଇନ ବୋର୍ଡ ର ମରାମତି ଆଦି କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ଥିବା ବେଳେ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତରେ ତାର ବ୍ୟତିକ୍ରମ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ପାଞ୍ଚ ବର୍ଷ ପାଇଁ ମୋଟ ଅଟକଳ ମୂଲ୍ୟ 08.25 ଲକ୍ଷ ଆର୍ଥିକ ବ୍ୟବସ୍ଥା ଥିବା ବେଳେ ଆର୍ଥିକ ବର୍ଷ 2018-19 ପାଇଁ 0.83ଲକ୍ଷ, ଆର୍ଥିକ ବର୍ଷ 2019-20 ପାଇଁ 1.01ଲକ୍ଷ, ଆର୍ଥିକ ବର୍ଷ 2020-21 ପାଇଁ 1.89 ଲକ୍ଷ, ଆର୍ଥିକ ବର୍ଷ 2021-22 ପାଇଁ 2.10 ଲକ୍ଷ ଆର୍ଥିକ ବର୍ଷ 2022-23 ପାଇଁ 2.40 ଲକ୍ଷ ଟଙ୍କା ବ୍ୟବସ୍ଥା ଥିବା ବେଳେ ଆଜକୁ ପାଞ୍ଚ ବର୍ଷ ହେବ କୌଣସି ପ୍ରକାର ରକ୍ଷଣାବେକ୍ଷଣ ଓ ମରାମତି କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ରାସ୍ତାର ମରାମତି କାର୍ଯ୍ୟ ନ କରି ଅଧିକାରୀ ଓ ଠିକାଦାର ମିଶି ମରାମତି ଅର୍ଥ ଆତ୍ମସାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଏପରି ଅନେକ ରାସ୍ତା ଅଛି ଯେଉଁଠାରେ କିଛି ମଧ୍ୟ ରକ୍ଷଣା ବେକ୍ଷଣ ଓ ମରାମତି କରାଯାଉ ନାହିଁ ବରଂ ପାଞ୍ଚ ବର୍ଷର ରକ୍ଷଣ ବେକ୍ଷଣ ଓ ମରାମତି ଅର୍ଥକୁ ଅଧିକାରୀ ଓ ଠିକାଦାର ମିଶି ଆତ୍ମସାତ କରୁଛନ୍ତି ଓ ପାଞ୍ଚ ବର୍ଷ ପରେ ଉକ୍ତ ରାସ୍ତାକୁ ରେ Non Plain Scheme ପକାଇ ରାସ୍ତା ମରାମତି କାର୍ଯ୍ୟ କରୁଛନ୍ତି, ଏପରି ଅନେକ ରାସ୍ତାର ନଜିର ରହିଛି, ତାହା ତଦନ୍ତ ସାପେକ୍ଷ l ଏପରି ଅନେକ ଅଭିଯୋଗ ମାନ ହେଉଛି ହେଲେ ବିଭାଗୀୟ ଅଧିକାରୀ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ଥିବାରୁ ତାର କୌଣସି ତଦନ୍ତ ହେଉନି, କାର୍ଯ୍ୟାନୁଷ୍ଠାନ ହେବା ଦୂର କଥା l ଏନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ଚରଣ ମୁଣ୍ଡା ଙ୍କୁ ଫୋନ ଯୋଗେ ପଚାରିବାରୁ ଚିରାଚରିତ ଢଙ୍ଗରେ ତଦନ୍ତ କରିବି ବୋଲି କହିଥିଲେ l ତଦନ୍ତ ହେବ କି କାର୍ଯ୍ୟାନୁଷ୍ଠାନ ହେବ ତାହା ଭବିଷ୍ୟତ କହିବ ନା ଚିରାଚରିତ ଭଳି ଚାପି ହୋଇ ରହିଯିବ l ଜିଲ୍ଲାପାଳ ମହୋଦୟ ଏ ରାସ୍ତା କାର୍ଯ୍ୟ ଉପରେ ଦୃଷ୍ଟି ଦେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।