ଖପ୍ରାଖୋଲ: ୧୪/୪(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ର ବିଭିନ୍ନ ଟିକସ ଆଦାୟ ଦାୟିତ୍ଵ ନେଇଛନ୍ତି ମହିଳା। ପୂର୍ବରୁ ବିଭିନ୍ନ ଟିକସ ଆଦାୟ ପାଇଁ ନିଲାମ ହେଉଥିବା ବେଳେ ପୁରୁଷ ମାନେ ନିଲାମ ନେଉଥିଲେ। ହେଲେ ଚଳିତ ଥର ପ୍ରଥମ କରି ଦେବୋତ୍ତର ବିଭାଗ ତରଫରୁ ସ୍ଵୟଂ ସହାୟକ ଦଳ ମହିଳାଙ୍କୁ ନିଲାମ ରେ ସାମିଲ କରିଥିଲେ।
ଯାହାଫଳରେ ୨୩ ସ୍ଵୟଂ ସହାୟକ ମହିଳା ଦଳ ନିଲାମ ରେ ଭାଗ ନେଇ ଥିବା ବେଳେ ଅନ୍ନ ଭୋଗ ପାଇଁ ନାନ୍ଦୁପଲା ଗାଁ ର ଜୟ ଶ୍ରୀରାମ ସ୍ଵୟଂ ସହାୟକ ଗୋଷ୍ଠୀ , ନଡ଼ିଆ ଓ ସୁଖା ଭୋଗ କୁଠୁର୍ଲା ଗାଁ ର କଲ୍ୟାଣୀ ସ୍ଵୟଂ ସହାୟକ ଗୋଷ୍ଠୀ, ଦୁଇଚକିଆ ଓ ଚାରି ଚକିଆ ଯାନ ପାର୍କିଂ ଓ ଗେଟ ପାସ କୁଠୁର୍ଲା ଗାଁ ର ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଟିକସ ଆଦାୟ ବନ ମାଲ ଗାଁ ର ଜୟ ଶ୍ରୀରାମ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦାୟିତ୍ଵ ମିଳିଥିବା ଜଣାଯାଇଛି। ନିଲାମ ପାଇଲା ପରେ ଚୁକ୍ତି ସ୍ବାକ୍ଷର କରି ଶୁକ୍ରବାର ମହିଳା ମାନେ ଟିକସ ଆଦାୟ ସହ ବିଭିନ୍ନ ଦାୟିତ୍ଵ ଗ୍ରହଣ କରିଥିଲେ।
ଏହି ଅବସରରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଓ ଏଲ୍ ଏମ ଡିପିଏମ୍ ସୁମନ ଦ୍ବିବେଦୀ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ସମେତ ଦେବୋତ୍ତର କମିଟି ସଦସ୍ୟ ଉପସ୍ଥିତ ଥିଲେ। ପ୍ରଶାସନ ତରଫରୁ ପ୍ରଥମେ ହରିଶଙ୍କର ଠାରେଏକ କାଫେ ଓ ରେଷ୍ଟୁରାଣ୍ଟ କୁ ମହିଳା ମାନେ ସୁଚାରୁ ରୁପେ ପରିଚାଳନା ପରେ ଏବେ ଅନ୍ୟ ଦାୟିତ୍ଵ ମହିଳାଙ୍କୁ ମିଳିଛି। ଯାହାକି ମହିଳା ସଶକ୍ତି କରଣ ର ଏକ ସଫଳ ନମୁନା।