ବ୍ରହ୍ମପୁର ୩।୧୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଆପ୍ ର ହେଲା ଶୁଭାରମ୍ଭ । ‘ମଧୁ’ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପ୍ରଥମଥର ଲାଗି ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ ହୋଇଛି ।ଏହି ଆପର ଉନ୍ମୋଚନ ଅବସରରେ ସେଠାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ଆଜି ଛତ୍ରପୁରଠାରେ ଓସ୍ବାନ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଲରେ ଶିକ୍ଷା ଗ୍ରହଣ ପରେ କୌଣସି ବିଷୟ ପିଲାମାନେ ବୁଝି ନପାରିଲେ ଅଥବା କିଛି ସନ୍ଦେହ ରହିଲେ ଆଉ ଯିବାକୁ ପଡିବ ନାହିଁ ଟ୍ୟୁସନ । ସନ୍ଦେହ ଦୂର କରିବା ପାଇଁ ପିଲାଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ‘ମଧୁ’ ଆପ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ପିଲାମାନେ ବିନା ଦ୍ବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।ଏଥିରୁ ମାତୃଭାଷା ଆଧାରିତ ଭର୍ଚୁଆଲ କ୍ଲାସ୍-ରୁମ୍ ଅନୁଭୂତି ପାଇପାରିବେ ଛାତ୍ରଛାତ୍ରୀ । ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଥିବାର ରେକର୍ଡ ଏଥିରେ ରହିଛି । ଏଥି ସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ବିଷୟ ଅନୁସାରେ ରହିବ।
ଛାତ୍ରଛାତ୍ରୀମାନେ ଗୁଗଲ ପ୍ଲେ-ଷ୍ଟୋରକୁ ଯାଇ ଏହି ଆପ୍ ଡାଉନ ଲୋଡ୍ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସରେ ପଞ୍ଜିକରଣ କରି ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ । ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହି ଆପ୍ ସହାୟକ ହେବ । ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ମୋବାଇଲରେ ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢ଼ିପାରିବେ ।ଏହା ସହ ପାଠ୍ୟକ୍ରମ ଶେଷ ହେବା ପରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାର ଉତ୍ତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଜାଣିପାରିବେ