ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ଼ କଂଗ୍ରେସ ଦଳ ତଥା ଟିଟିଲାଗଡ଼ ନଗର କଂଗ୍ରେସ ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି l ନଗର କଂଗ୍ରେସର ଆବାହକ ଦେବାନନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପିସିସି ସଦସ୍ୟ ବିଧୁ ଭୂଷଣ ତ୍ରିପାଠୀ, ତୁଳସୀ ସାହୁ, ରାଜେନ୍ଦ୍ର ମିଶ୍ର, ଘିନୁ ଆଡ଼ଜୁଆଡ, ମୁକେଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ। ଏହି ଗଣଧାରଣାରେ ସାମିଲ ହୋଇ ଟିଟିଲାଗଡ଼ ସହରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ
ତନ୍ମଧ୍ୟରୁ ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ, ପିଇବା ପାଣି ଦୈନନ୍ଦିନ ଯୋଗାଇବା,ରନ୍ଧନ ଗ୍ୟାସ ସିଲିଣ୍ଡର ଦର ହ୍ରାସ, ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ ବିଲ ଆଦାୟ ଉପରେ ରୋକ ଲଗାଇ ଟାଟା ପାୱାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଦି ଦାବୀ ନେଇ ଗଣଧାରଣା ଦିଆଯାଇଛି l ଦାବୀ ଗୁଡିକ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ତୀବ୍ର ଆନ୍ଦୋଳନ କରାଯାଇ ରାଜ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ସମସ୍ତ ସରକାରୀ ଦପ୍ତରକୁ ତାଲା ମାରି ବନ୍ଦ କରିଦିଆଯିବ ବୋଲି ଆନ୍ଦୋଳନ କାରିମାନେ ଚେତାବନୀ ଦେଇଛନ୍ତି।
ଟିଟିଲାଗଡ ପାଇଁ ଆସୁଥିବା ଅନୁଦାନର ସଦ ବିନିଯୋଗ ନ ହେବା, ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ ପାଈଁ ଆସୁଥିବା ଅନୁଦାନ ଅର୍ଥର କେବଳ ନାମକୁ ମାତ୍ର କାମ କରାଯାଇ ନିମ୍ନ ମାନର କାମ କରି ହେଉଛି ବାଟ ମାରଣା ଏବଂ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେନ୍ଦ୍ର ସିଂହ ଭୋଇ । ସଭା ସରିବା ପରେ ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଟିଟିଲାଗଡ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ ଉପସ୍ଥିତ ଥିଲେ।