ବାରିପଦା ୦୧।୧୧ – ପୁଣି ଏକ ଲଜ୍ଜା, ପୋଲିସର ଜଘନ୍ୟ ଅବହେଳା, ଜଗତସିଂହପୁର ତେଣ୍ଟେଇ ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ରାଇରଙ୍ଗପୁରରେ । ପୋଲିସର ଅବହେଳାରୁ ଜୀବନ ହାରିଛନ୍ତି ଜଣେ ଅଧ୍ୟାପିକା । ଅଧ୍ୟାପିକା ଜଣଙ୍କ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତକୁ ଖସେଇବାକୁ ଉଦ୍ୟମ କରିଥିଲା ପୋଲିସର ଅବହେଳା ଯୋଗୁଁ ଅସମୟରେ ବଳିପଡ଼ିଲା ଏକ ମୁଲ୍ୟବାନ ଜୀବନ। ମିଳିଲା ନି “ମୋ,ସରକାର” ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସୁଫଳ। ଅନ୍ୟପଟେ ଏକ ମାମଲା ରୁଜୁ କରି ଦେଇ ଅଭିଯୁକ୍ତକୁ ଖୋଲାଖୋଲି ବୁଲିବା ପାଇଁ ଛାଡ଼ିଦେଇ ପରୋକ୍ଷରେ ଘଟଣାର ଅନ୍ତଘଟାଇବାକୁ ପ୍ରୟାସ କରି ଏବେ ପୋଲିସ ପାଇଁ ଲଜ୍ଜା ସାଜିଛି ପୋଲିସ।
ତେବେ ଘଟଣାକୁ ଆନ୍ତରିକତାର ସହ ଗ୍ରହଣ କରି ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମାନସିକ ଅବସାଦରୁ ବାହାରିବା ସହ ବଞ୍ଚି ଯାଇଥାନ୍ତା ମୃତାର ଜୀବନ। କିନ୍ତୁ ଖାମଖିଆଲି ମାନଭାଵ ଯୋଗୁଁ ଅଭିଯୁକ୍ତ ସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ପରୋକ୍ଷ ହତ୍ୟାକାରୀ ଭାବେ ଗ୍ରହଣ କରାଯିବାକୁ ମତପ୍ରକାଶ ପାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ନାମରେ ନିଲମ୍ବନ ନୁହେଁ ବହିଷ୍କାର କରାଯିବା ଉଚିତ ବୋଲି ଆଲୋଚନା ହେଉଛି।ତେବେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ସାଢେ଼ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀନିବାସ ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବା ସହ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛିଛାତ୍ରୀ ମିଶି କବାଟକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ।
କିଛି ଦିନ ତଳେ ଅଧ୍ୟାପିକା ଜଣକ ଦୁଷ୍କର୍ମର ଶୀକାର ହୋଇଥିଲେ। ସେ ପୁଣି ଜଣେ ସମ୍ପର୍କୀୟଙ୍କ ଦ୍ୱାରା। ଅଭିଯୁକ୍ତ ଜଣକ ଥିଲେ ଭାଉଜଙ୍କ ଭାଇ । ଅକ୍ଟୋବର ୩୦ରେ ଝାରପୋଖରିଆ ଥାନାରେ ଏତଲା ଦିଆଯାଇଥିଲା। ହେଲେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା।ପୋଲିସ ନୀରବତା ଅଭିଯୁକ୍ତକୁ ଆହୁରି ସାହାସ ଯୋଗାଇଥିଲା। ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ଧମକ ଦେବାକୁ ଲାଗିଲେ। ନଗ୍ନ ଫଟୋ ଭାଇରାଲ କରିଦେବା ପାଇଁ ଧମକେଇଲେ। ଅତିଷ୍ଠ ହୋଇ ପୀଡ଼ିତା। ସାହା ଭରସା କାହାଠୁ ପାଇଲେନି। ଶେଷରେ ସମ୍ମାନ ବଞ୍ଚାଇବା ପାଇଁ ଯାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।
ଏନେଇ କାର୍ଯ୍ୟରେ ଅବହେଳା ଯୋଗୁ ତଦନ୍ତକାରୀ ଅଧିକାରୀ ତଥା ଏଏସ୍ଆଇ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ଝାରପୋଖରିଆ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳିକରାଯାଇଛି। ତାଙ୍କ ବଦଳରେ ତିରିଂ ଥାନା ଅଧିକାରୀଙ୍କୁ ଝାରପଖୋରିଆ ଥାନାର ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି।