ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ବିଶ୍ଵ କଳାମୋତିଆ (ଗ୍ଲୁକୋମା) ଦିବସ ଜିଲ୍ଲା ସ୍ତରୀୟ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାନ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର ପୃଥିବୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ନିଜ ଚକ୍ଷୁର ଯତ୍ନ ନିଅନ୍ତୁ ବୋଲି ଅହ୍ଵାନ କରିଛନ୍ତି।
ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ନେତ୍ର ସହାୟକ ନିର୍ମଳ ଚନ୍ଦ୍ର ପତି ଗ୍ଲୁକୋମା ରୋଗର କାରଣ, ନିରାକରଣ ଓ ଚିକିତ୍ସା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ହିସାବ ପରିଚାଳକ ସରୋଜ କୁମାର ପଣ୍ଡା, ଜିଲ୍ଲା ଡାଟା ପରିଚାଳକ ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସହକାରୀ ପରିଚାଳକ (କମ୍ୟୁନିଟି ପ୍ରୋସେସ) ତରଣୀସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଚେତନତା ସଭାରେ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀଙ୍କ ସମେତ ସ୍ଵାସ୍ଥ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ।