ଯାଜପୁର: ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜେଣ୍ଟଟିଭ ହଟିଛନ୍ତି କି ନାହିଁ ତାହାର ଯାଂଚ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମିନା। ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ସହ ବିଭିନ୍ନ ୱାର୍ଡ ବୁଲି ଦେଖି ସାଧାରଣ ରୋଗୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ମାଗଣା ଔଷଧ ଲାଗି ଲମ୍ବା ଲାଇନରେ ଥିବା ରୋଗୀଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ ।
ଏହି ଅଚାନକ ପରିଦର୍ଶନ ସମୟରେ ମେଡିକାଲ ସିଡିଏମଓ ଏବଂ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ। ଏହି ସମୟରେ ରସୁଲପୁର ଅଂଚଳର ଇସରାଦ ଯାହା ନାମକ ଗର୍ଭବତୀ ମହିଳାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ତାଙ୍କ ପରିବାର ଯାଜପୁର ଏସପିଙ୍କୁ ଭେଟି ମେଡିକାଲରେ ସିଜରିଂ କରିବାକୁ ଅନୁରୋଧ କରିଥିଲେ। ଏନେଇ ଏସପି ସିଡିଏମଓଙ୍କ ସହ ଆଲୋଚନା କରି ଏକ ସ୍ୱତନ୍ତ୍ର ଟିମ ସହଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା, ଯାହାକି ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି।