କେନ୍ଦୁଝର,୨୪/୯ ସଦର ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀ ମହୁଲୀ ମଦ ବ୍ୟାପକ କାରବାର ହେଉଥିଲେ ହେଁ କଣ୍ଡରାପଶି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ଏହା ସବୁ ସୀମାକୁ ଉଲ୍ଲଂଘନ କରିସାରିଛି । ଉକ୍ତ ଗ୍ରାମର ମାଝୀ ସାହିରେ ବେଧଡକ ଦେଶୀ ମହୁଲୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ଏଠାରୁ ମଦର ହୋମ୍ ଡେଲିଭରୀ ହୋଇଯାଉଛି । ପ୍ରାୟ ଅଧିକାଂଶ ଚୋରାମଦ ବେପାରୀ ଏଠାରେ ମହୁଲୀ ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଆସୁଛନ୍ତି । ଶହ ଶହ ଲିଟର ମଦ ଏଠାରୁ ଦୈନିକ ଆଖପାଖ ଅଞ୍ଚଳକୁ ଚାଲାଣ କରାଯାଉଛି । ଏଣୁ ଏହି ଅଞ୍ଚଳର ଯେଉଁ ସ୍ଥାନରେ ଖୋଜିଲେ ବି ହାତ ପାଆନ୍ତାରେ ମଦ ମିଳିଯାଉଛି । ଏଭଳି ବେଆଇନ ଓ ବେଧଡକ ମଦ କାରବାର ଚାଲିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ମଦ କାରବାର ରୋକିବା ପାଇଁ ବୁଦ୍ଧିଜୀବୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଣ୍ଟା ଭିଡିଥିଲେ ହେଁ ତାହା ଫଳପ୍ରଦ ହୋଇପାରିନାହିଁ ।ମଦର ବହୁଳ କାରବାର ଫଳରେ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା ପରିଲକ୍ଷିତ ହେଉଛି ।
ଲୋକଙ୍କୁ ସୁବିଧାରେ ମଦ ଯୋଗାଇ ଦେଇ ବେପାରୀମାନେ ନିଜ ସ୍ୱାର୍ଥ ଚରିତାର୍ଥ କରୁଥିବା ବେଳେ ସାଧାରଣ, ଖଟିଖିଆ ଓ ଗରୀବ ଲୋକେ ଅତ୍ୟଧିକ ମଦ୍ୟପାନ କରି ସର୍ବସ୍ବାନ୍ତ ହେଉଛନ୍ତି । ଖାଲି ସେତିକି ନୁହେଁ ସହଜରେ ମଦ ମିଳିଯାଉଥିବାରୁ ମଦୁଆଙ୍କ ସଂଖ୍ୟା ମଧ୍ୟ ଏହି ଅଞ୍ଚଳରେ ବୃଦ୍ଧି ପାଉଛି । ଯୁବଗୋଷ୍ଠୀ ଏହାର କବଳରେ ପଡିବା ଯୋଗୁଁ ସେମାନଙ୍କ ସୁନେଲି ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି । ବିଭିନ୍ନ ସମୟରେ ମଦୁଆମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏଥିରେ ଛୋଟ ପିଲାଙ୍କ ସମେତ ମହିଳାମାନେ ସେମାନଙ୍କୁ ଅସୁରକ୍ଷିତ ମଣୁଛନ୍ତି । ତେବେ ପୋଲିସ ଓ ଅବକାରୀ ବିଭାଗ ଏହି ବେଆଇନ କାରବାରକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । କେବଳ ଲୋକ ଦେଖାଣିଆଁ ଭାବେ ମଝିରେ ମଝିରେ ସ୍ଥାନୀୟ ଢ଼ାବା ଓ କଣ୍ଡରାପଶି ସାପ୍ତାହିକ ହାଟରେ ଚଢ଼ାଉ କରି ନିଜ ଦାୟିତ୍ୱ ଶେଷ କରୁଥିବା ଦେଖାଯାଉଛି । ଅପର ପକ୍ଷରେ ଚୋରାମଦ ବେପାରୀମାନେ ଦୁର୍ନୀତିଗ୍ରସ୍ତ ପୋଲିସ ଓ ଅବକାରୀ କର୍ମଚାରୀମାନଙ୍କୁ ହାତ କରି ମାସିକ ୩୦ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବଟି ଦେଇ ବେଧଡକ ମଦ ବେପାର ଚଳାଇଥିବା ଅଭିଯୋଗ ହେଉଛି । ଏସପି ମହୋଦୟ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।