ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଓ ଖପ୍ରାଖୋଲ ରେ ଥିବା ବିଦେଶୀ ମଦ ଦୋକାନ ରେ ନକଲି ମଦ ତିଆରି ହେଉଥିବା ଖବର କୌଣସି ବିଶ୍ବସ୍ତ ସୂତ୍ରରୁ ଅବକାରୀ ଗୋଇନ୍ଦା ବିଭାଗ ପାଇଥିଲା । ଏହା ପରେ ଏକ ଟିମ୍ ଗଠନ କରି ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ତିଆରି ହେଉଥିବା ନକଲି ବିଦେଶୀ ମଦ ପାଟଣାଗଡ ଓ ଖପ୍ରାଖୋଲ ର ବିଦେଶି ଦୋକାନରେ ଅବକାରୀ ବିଭାଗ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ ।
ମିଳିଥିବା ଖବର ମୁତାବକ, ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲରେ ଥିବା ସରକାରୀ ମଦ ଦୋକାନ ଓ ପାଟଣାଗଡ଼ ରାମପୁର ଏଫଏଲ ସପରେ କାମ କରୁଥିବା କମର୍ଚାରୀ ରହୁଥିବା ଏକ ଭଡ଼ା ଘର ଉପରେ ଚଢ଼ଉ କରିଥିଲା । ଏହି ସମୟରେ ୧୯୬ ବୋତଲ ନକଲି ବିଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜବତ ହୋଇଥିବା ନକଲି ମଦର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଗୋଇନ୍ଦା ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଏହି ଚଢ଼ଉ ସମୟରେ ଅବକାରୀ ଉପଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ଓ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ୱନାଥ ପରିଡ଼ାଙ୍କ ସମେତ ସମସ୍ତ କମର୍ଚାରୀ ଉପସ୍ଥିତ ଥିଲେ ।