ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ହାତୀନଦୀ ବାଲି ଘାଟ ନିଲାମ ପ୍ରସଙ୍ଗ ଏବେ ହୋଇପଡ଼ିଛି ବିବାଦୀୟ । ବାଲିଘାଟ ନିଲାମ ହେବାପରେ ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଏହାକୁ ତୀବ୍ରବିରୋଧ କରିଆସୁଛନ୍ତି । ତଥାପି ତହସିଲ କାର୍ଯ୍ୟାଳୟ ନିଜ ଜିଦରେ ଅଟଳ ରହି ନିଲାମ ପ୍ରଦାନ କରିଛନ୍ତି । ନିଲାମଧାରୀ ଲୋକଙ୍କ ବିରୋଧର ଶିକାରହେଲା ପରେ ଗ୍ରାମବାସୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ନାମରେ ଜୟପାଟଣା ଥାନାରେ ମାମଲା ଦାୟରକରିଥିଲେ । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ବଡ଼କୂଟ୍ରୁ ଫାଣ୍ଡି ଘେରାଉ କରିଥିବା ବେଳେ , ଫାଣ୍ଡିଅଧିକାରୀ ଘଟଣା ର ସମାଧାନ ପାଇଁ ଅସହାୟତା ପ୍ରକାଶ କରିବାପରେ ଗ୍ରାମବାସୀମାନେ ଜୟପାଟଣା ଥାନା କୁ ଯାଇ ଅଭିଯୋଗ ଦେଇଥିଲେ ।
ଲିଜଧାରୀ ଭଗବାନ ବିହାରୀ ଥାନାରେ ପହଂଚି ସମସ୍ତ କାଗଜପତ୍ର ଦାଖଲକରି ନିଜ ପକ୍ଷ ରଖିଥିବାବେଳେ , ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଏହା ପୋଲିସ ମାମଲା ନୁହେଁ ରାଜସ୍ୱ ବିଭାଗର ମାମଲା ଓ ଏହା ତହସିଲ କାର୍ଯ୍ୟାଳୟରେ ହିଁ ନିଷ୍ପତି ନିଆଯିବ ବୋଲି ଗ୍ରାମବାସୀ ଙ୍କୁ କହିଛନ୍ତି ।ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ତହସିଲଦାର ଙ୍କ ଭୂମିକାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।କଲମପୁର ଅଂଚଳର ବାଲି ଘାଟ ନିଲାମ ପଛରେ ତହସିଲଦାରଙ୍କ ଭୂମିକା ସନ୍ଧେହ ଜନକ ବୋଲି ଜନସାଧାରଣ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ପାରିପାର୍ଶକ ପରିସ୍ଥିତିକୁ ଅଣଦେଖା କରି ଓ ଗ୍ରାମବାସୀଙ୍କ ଦାବୀକୁ ଉପେକ୍ଷା କରି ତହସିଲଦାର ନିଜ ଜିଦରେ ଅଟଳ ରହି କୌଣସି ପ୍ରକାରେ ନିଲାମ ପ୍ରକ୍ରିୟା ଶେଷ କରିଦେଲେ ।
ପଲ୍ଲୀସଭା ଏବଂ ଗ୍ରାମ ସଭାରେ ଗ୍ରାମବାସୀ ନଦୀ ବାଲି ସୈରାତ ଲିଜକୁ ପ୍ରତ୍ୟାଖାନ କରି ନିଲାମ ବିରୁଦ୍ଧରେ ଦସ୍ତଖତ କଲା ପରେ ମଧ୍ୟ ଏହା ଉପରେ କୌଣସି ବିଚାର ବିମର୍ଷ ନ କରିବା ଲୋକଙ୍କ ଅସନ୍ତୋଷ ର କାରଣ ହୋଇଛି। ଏ ସମ୍ପର୍କରେ ସରପଞ୍ଚ ମଧ୍ଯ ଏନଓସି ଦେଇନଥିବା ଜଣାପଡିଛି । କେଉଁ ଆବାହମାନ କାଳରୁ କଲମପୁର ବ୍ଲକର ମଧ୍ୟସ୍ଥଳରେ ହାତୀନଦୀ ପ୍ରଭାବିତ ହେଉଛି ସେଠାରୁ ରାଜସ୍ୱ ଉପାର୍ଜନ ନିମନ୍ତେ ତହସିଲ ପକ୍ଷରୁ ବାରମ୍ବାର ଉଦ୍ୟମ କରି ବିଫଳ ହେଲା ପରେ କାର୍ଯ୍ୟରତତହସିଲଦାର କରିସ୍ମା ବେଶ୍ରା ଉଦ୍ୟମ କରି ମଧ୍ୟ ଵିଫଳ ହୋଇଥିଲେ ହେଁ ତାହାକୁ ସଫଳ କରିବାକୁ ଶେଷ ପର୍ଯ୍ୟାୟରେ ରେ ପହଂଚିଛନ୍ତି ।
ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଯେକୌଣସି ପରିସ୍ଥିତିରେ ମଧ୍ୟ ବାଲି ଉଠାଣ ନିମନ୍ତେ ସୁଯୋଗ ଦିଆଯିବ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି । ଜୟପାଟଣା ଥାନାରୁ ଫେରି ଗ୍ରାମବାସୀ ମାନେ ନିଜ ଗ୍ରାମରେ ସଭାକରୀ ନିଷ୍ପତି ନେବେବୋଲି ଜଣା ପଡିଥିବା ବେଳେ, ଲିଜଧାରୀ ନିଲାମ ରଦ୍ଧ କରିଦେଲେ ମଧ୍ୟ ମୁଁ ତାହାକୁ ମାନିନେବି ବୋଲି କହିଛନ୍ତି । ଅନ୍ୟପକ୍ଷରେ କାହା ଚାପରେ ଓ କାହା ସ୍ଵାର୍ଥ ରକ୍ଷା ପାଇଁ ଏହି ଲିଜ୍ ଦିଆଯାଇଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେବେ ମାମଲା କେଉଁ ରୂପନେବ ତାହା ପ୍ରଶାସନିକ ପଦକ୍ଷେପ ଉପରେ ନିର୍ଭର କରୁଛି ।