କଟକ୧|୮:କଟକ ସିରିଏଲ୍ ମର୍ଡ଼ର ଘଟରାରେ ନୟାଗଡ଼ର ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ । ହେଲେ ନାରାୟଣ ଜଣେ ମାନସିକ ରୋଗୀ କି ନାହିଁ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ପୋଲିସ । ସେପଟେ ବେପାରରେ କ୍ଷତି ପରେ ନାରାୟଣ ମାନସିକ ସନ୍ତୁଳନ ହରାଇଥିବା ଅଭିଯୋଗ କରିଛନ୍ତି ନାରାୟଣଙ୍କ ପରିବାର ଲୋକ । ଯଦି ନାରାୟଣ ଜଣେ ମାନସିକ ରୋଗୀ ହୋଇଥାନ୍ତି ତାହେଲେ ତାଙ୍କ ବିରୋଧରେ ଦଣ୍ଡବିଧାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ତିନିଦିନ କାଳ ଜେରା କରିବା ପରେ ନାରାୟଣକୁ ଗୁରୁବାର ପୁଲିସ କୋର୍ଟ ଚାଲାଣ କରିଛି। ଓଏମପି ଛକରେ ଘଟିଥିବା ୨ଟି ହତ୍ୟାକାଣ୍ଡରେ ନାରାୟଣକୁ ପୁଲିସ ଅଭିଯୁକ୍ତ ଦର୍ଶାଇଛି। ତେବେ ରାଣୀହାଟ ହତ୍ୟାକାଣ୍ଡ ଘଟଣାରେ ତା’ର ସମ୍ପୃକ୍ତି ନେଇ ପୁଲିସ ଆବଶ୍ୟକ ତଥ୍ୟ ହାସଲ କରିପାରିନାହିଁ।
ମାରାଥନ ଜେରା ପରେ ଗୁରୁବାର ସକାଳେ ତଦନ୍ତକାରୀ ଦଳ କଡାସୁରକ୍ଷା ବ୍ୟବସ୍ଥାରେ ନାରାୟଣକୁ ଓଏମପିରେ ଘଟିଥିବା ହତ୍ୟାକାଣ୍ଡ ସ୍ଥଳକୁ ନେଇଥିଲେ। ନାରାୟଣ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ସୂଚନା ଦେବା ସହିତ ଲୁଚାଇଥିବା ମାରଣାସ୍ତ୍ର ପୁଲିସକୁ ଦେଖାଇଥିଲା। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ ସହିତ ସେ ହତ୍ୟାକାଣ୍ଡ ଦିନ ସେ ପିନ୍ଧିଥିବା ଗାମୁଛାକୁ ପୁଲିସ ଜବତ କରିଥିଲା।ଅନ୍ୟପକ୍ଷରେ ନାରାୟଣର ମା’ ସତ୍ୟଭାମା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ପୁଅ ନିର୍ଦୋଷ। ଯିଏ ରକ୍ତ ଟୋପାଏ ଦେଖିଲେ ବେହୋସ୍ ହୋଇପଡେ ସିଏ କ’ଣ ନରହତ୍ୟା କରିପାରେ! ତାଙ୍କ ପୁଅକୁ ମିଛରେ ପୁଲିସ ଫସାଇ ଜେଲ ପଠାଇଛି। ତୁରନ୍ତ ତାକୁ ମୁକ୍ତ କରିବାକୁ ସତ୍ୟଭାମା ଆକୁଳ ନିବେଦନ କରିଛନ୍ତି।
